ନଳଚରିତ

ନଳଚରିତ

ଉତ୍କଳଗୌରବ ମଧୁସୂଦନ ଦାସ

 

ପ୍ରଥମ ଛାନ୍ଦ

ରାଗ ଭୂପାଳ

(ଦିଶ-ନଟ ନାରାୟଣୀ ବାଣୀ)

ଶୁଣ ସୁଜନେ ଏକ ଅପୂର୍ବ ରସ ।

 

ଯାହା ଶୁଣନ୍ତେ ପାତକ ହୋଏ ଧ୍ୱଂସ ।

।୧।

ରାମ ପିତା-ବଚନେ ଅରଣ୍ୟେ ଥିଲେ ।

 

ମାୟା-ମୃଗ ଦେଖି ମାରିବାରେ ଗଲେ ।

।୨।

 

 

ତେଣେ ଜାନକୀ ରାବଣ ନେଲା ହରି ।

 

ରାମ ଲେଉଟିଲେ ମାୟା-ମୃଗ ମାରି ।

।୩।

ଯାଇଁ ଦେଖିଲେ ସୀତୟା ନାହିଁ ପୁରେ ।

 

ରାମ କାରୁଣ୍ୟେ ପଡ଼ିଲେ ଅବନୀରେ ।

।୪।

 

 

ଦେଖି ଲକ୍ଷ୍ମଣ କୋଳ କରିଣ ଧରି ।

 

ପ୍ରଭୁ ଶୋକଭରେ ବଡ଼ ଚିନ୍ତା କରି ।

।୫।

ଏହିମତେ ଗଲା ତହିଁ କିଛି ଦିନ ।

 

ପ୍ରଭୁ ଜାଣିଲେ ସୀତା ଶଙ୍କୁନମାନ ।

।୬।

 

 

 

 

ଦଶଗ୍ରୀବ ନେଲା ଜାନକୀକି ମୋର ।

 

ନିଶ୍ଚେ ଛେଦିବଇ ଦଶ ଶିର ତାର ।

।୭।

ଏହି ପ୍ରତିଜ୍ଞା କରିଣ ରଘୁରାଣ ।

 

ମାରିବଇ ନିଶ୍ଚୟେ ମୁଁ ଦଶାନନ ।

।୮।

 

 

ଏହି ଆଜ୍ଞା ଦେଇଣ ଅରଣ୍ୟେ ଥିଲେ ।

 

ଲଙ୍କା ଶିରୀହତ ସେହୁ ବିଚାରିଲେ ।

।୯।

ଏବେ ଶୁଣିମା ନରେ ଅପୂର୍ବ ରସ ।

 

ଏକଦିନେ ରାମ ବସି ଅମରିଷ ।

।୧୦।

 

 

ଏହା ଜାଣିଲେକ ମାରକଣ୍ଡ ଋଷି ।

 

ପ୍ରଭୁ ଛାମୁରେ ହୋଇଲେ ବେଗେ ଆସି ।

।୧୧।

ଶ୍ରୀରାମ ଦେଖିଣ ବଡ଼ ମାନ୍ୟ କଲେ ।

 

ଏଡେ ତାପ କିମ୍ପା ବୋଲି ପଚାରିଲେ ।

।୧୨।

 

 

ଅତି କ୍ରୋଧେ ରାମ ଋଷି-ପାଦେ ପଡ଼ି ।

 

ବନେ ଅଇଲି ମୁଁ ଅଭିଷେକ ଛାଡ଼ି ।

।୧୩।

ବନେ ଶୁଣିଲି ପିତା ହୋଇଲେ ଭ୍ରଷ୍ଟ ।

 

ତଥି ଉପରେ ହୋଇଲା ପତ୍ନୀ କଷ୍ଟ ।

।୧୪।

 

 

 

 

ସବୁ ବୁଝାଇ କହିଲେ ରଘୁମଣି ।

 

ଆଜ୍ଞା ଦେଲେ ଋଷିଙ୍କି ଶୁଣିମା ପୁଣି ।

।୧୫।

ମୋହୋ ସମ ଦୁଃଖୀ ନାହିଁ ଅବନୀରେ ।

 

ପୂର୍ବେ କେହୁ ଅଛଇ ଜାଣ କି ତାରେ ।

।୧୬।

 

 

ମାରକଣ୍ଡ ଆଜ୍ଞା ଦେଲେ ଶୁଣ ରାମ ।

 

ତୋତେ କହିବାକ ପୁଣ ତାର ନାମ ।

।୧୭।

ସୂର୍ଯ୍ୟବଂଶେ ବୀରସେନ ରାଜା ଖ୍ୟାତ ।

 

ନଳ ନାମେଣ ତାହାର ଏକ ସୁତ ।

।୧୮।

 

 

କାମଦେବଙ୍କୁ ରୂପେ ସମାନ ସେହୁ ।

 

ଶୂରବନ୍ତ-ପଣେ ସମ ନାହିଁ କେହୁ ।

।୧୯।

ବଡ଼ ଧାର୍ମିକ ସତ୍ୟବାଦୀ ଅଟଇ ।

 

ତାର ଚରିତ ତୋତେ କହିବି ମୁହିଁ ।

।୨୦।

 

 

ବୀରସେନ ରାଜା ପୁତ୍ର ଦେଖିକରି ।

 

ଅତି ଆନନ୍ଦ ହୋଇ ମନେ ବିଚାରି ।

।୨୧।

ରାଜ୍ୟେ ଅଭିଷେକ ସୃତ କରାଇବି ।

 

ଅରଣ୍ୟକୁ ମୁହିଁ ତପ କରି ଯିବି ।

।୨୨।

 

 

 

 

ଏତେ ବିଚାରି ରାଜା କହିଲା ବାଣୀ ।

 

ଆମ୍ଭେ ବିଭା କରିବା କୁମରମଣି ।

।୨୩।

ଭିବା ସାରି ଅଭିଷେକ କରାଇବି ।

 

ବଇଦର୍ଭ ଦେଶଯାକ ସମର୍ପିବି ।

।୨୪।

 

 

ମନ୍ତ୍ରୀକି ଡକାଇ ରାଜା ଆଜ୍ଞା ଦେଲେ ।

 

କୁମାର ନିମନ୍ତେ କନ୍ୟା ଖୋଜାଇଲେ ।

।୨୫।

ମନ୍ତ୍ରୀ ଆଜ୍ଞା ପାଇ ଚାରଗଣ ଗଲେ ।

 

ଚଉଦିଗେ ସେ ଯାହାର ସେ ଖୋଜିଲେ ।

।୨୬।

 

 

କୁମାରକୁ କନ୍ୟା ସେ ସମାନ ନାହିଁ ।

 

ରାଜା ଆଗରେ ଆସି ଡଗରେ କହି ।

।୨୭।

ବୀରସେନ ଚାରଙ୍କ ବଚନ ଶୁଣି ।

 

ଅଭିଷେକ କଲାକ କୁମରମଣି ।

।୨୮।

 

 

ରାଜା କରି ଅରଣ୍ୟକୁ ସେହୁ ଗଲେ ।

 

ନଳରାଜା ପଦେ ସର୍ବେ ସେବା କଲେ ।

।୨୯।

କିଛି ଦିନ ଏହିମତେ ଗଲା ପୁଣ ।

 

ତହୁଁ ଯେମନ୍ତେ ହୋଇଲା ତାହା ଶୁଣ ।

।୩୦।

 

 

 

 

ଏକଦିନେ ନଳ ମୃଗୟାକୁ ଯାଇ ।

 

ପୁଷ୍କରିଣୀ ତଟରେ ପ୍ରବେଶ ହୋଇ ।

।୩୧।

ତହିଁ ଦେଖିଲେ ହଂସେକ ଚରୁଅଛି ।

 

ଅଷ୍ଟରତ୍ନେ ଜଡ଼ିତ ସୁବର୍ଣ୍ଣ-ପକ୍ଷୀ ।

।୩୨।

 

 

ଏହୁ ଅସମ୍ଭବ କଥା ଦେଖିକରି ।

 

ମନେ ବିଚାରଇ ହଂସ ନେବି ଧରି ।

।୩୩।

ତାର ପାଶକୁ ରାଜନ ଯହୁଁ ଗଲା ।

 

ହଂସ ଭୟ କରି ତେଣୁ ପଳାଇଲା ।

।୩୪।

 

 

ଯାଇ ପୃଷ୍କରିଣୀ ଆର ତଟେ ହୋଇ ।

 

ରାଜା ଏମନ୍ତ ଦେଖିଣ ବିଚାରଇ ।

।୩୫।

ଏହି ସୁନ୍ଦର ପକ୍ଷୀ ଦେଖିଲା ନାହିଁ ।

 

ଏହା ଧରିଣ ମୁହିଁ ନେମଇଁ କାହିଁ ।

।୩୬।

 

 

ଏତେ ବୋଲିଣ ଧନୁଶରକୁ ଧରି ।

 

ଆଜ ହଂସକୁ ମୁହିଁ ନେମଇଁ ମାରି ।

।୩୭।

ବେଗେ ଧନୁରେ ନାରାଜ ବସାଇଲା ।

 

ଭୟ କରିଣ ହଂସ ଶରଣ ଗଲା ।

।୩୮।

 

 

 

 

ତୋର ଅପାର କର୍ମ କରିବି ମୁହିଁ ।

 

ତୁମ୍ଭେ ନାରାଜ ବିନ୍ଧିଲେ ଜୀଇ ନାହିଁ ।

।୩୯।

ଏହା ଶୁଣିଣ ନଳ ତରସ୍ତ ହୋଇ ।

 

ଧନୁଶର ହସ୍ତରୁ ପକାଇ ଦେଇ ।

।୪୦।

 

 

କୁହୋ କି କର୍ମ କରିବୁ କହ ମୋର ।

 

ବେଗେ ଜଣାଅ ଆସି ମୋର ଛାମୁର ।

।୪୧।

କାହା ନିକଟେ ହଂସ ହୋଇଲା ଆସି।

 

ରାଜା ତାକୁ ଦେଖି ବଡ଼ ପରଶଂସି ।

।୪୨।

 

 

ହଂସ ବିନୟ ହୋଇ କହଇ ଶୁଣ ।

 

କୁଣ୍ଡୀ କଟକରେ ଭୀମ ନୃପ ଜାଣ ।

।୪୩।

ତାର ଦୁହିତାଏ ଅଛି ଅନୁପାମ ।

 

ଦମୟନ୍ତୀ ବୋଲି ତାହାଙ୍କର ନାମ ।

।୪୪।

 

 

ରତି ସମାନ ସେହୁ ସୁନ୍ଦରପଣେ ।

 

ତୋତେ ସରି ସେ ଅଟଇ ସର୍ବଗୁଣେ ।

।୪୫।

ତାକୁ ସନ୍ଦେଶ କହିବି ମୁହିଁ ଯାଇ ।

 

ତୁମ୍ଭ ରୂପଗୁଣ ସର୍ବ କହିବଇଁ ।

।୪୬।

 

 

 

 

ଯେଉଁ ପ୍ରକାରେ ତୋତେ ହୋଇବ ବିଭା ।

 

ନିଶ୍ଚେ କହୁଅଛି ମୁଁ କରିବି ନିର୍ଭା ।

।୪୭।

ନଳ ବୋଇଲେ ତୁମ୍ଭେ ସୁକୃତ କର ।

 

ଏହା କଲେ ବଶ ମୁଁ ହୋଇବି ତୋର ।

।୪୮।

 

 

ହଂସ ନିୟମ କରିଣ ଚଳିଗଲା ।

 

କୁଣ୍ଡୀ ନଗ୍ରରେ ଯାଇ ପ୍ରବେଶ ହେଲା ।

।୪୯।

ଭୀମ ରାଜାର ବେଣ୍ଟପୋଖରୀ ଯେହୁ ।

 

ଯାଇ ପ୍ରବେଶ ହୋଇଲେ କହୁଁ କହୁଁ ।

।୫୦।

 

 

ତହିଁ ନାନା କ୍ରୀଡ଼ା କରି ଚରୁଥିଲା ।

 

ଦମୟନ୍ତୀ ଏହି କାଳରେ ଅଇଲା ।

।୫୧।

ସଙ୍ଗେ ତାହାର ସଖୀସମୂହ ଅଛି ।

 

ତାଙ୍କ ମନେ ଚିନ୍ତା ଆଉ ନାହିଁ କିଛି ।

।୫୨।

 

 

ଜଳ ଭିତରେ ପଶିଲେ ସର୍ବ ସଖୀ ।

 

ତଥି ମଧ୍ୟରେ ସର୍ବେ ହଂସକୁ ଦେଖି ।

।୫୩।

ଅଷ୍ଟରତନେ ଜଡ଼ିତ ପକ୍ଷୀବର ।

 

ଏହା ଦେଖିଲା ନାହିଁ ତ ଜଗତର ।

।୫୪।

 

 

 

 

ସର୍ବ ସଖୀ ହଂସକୁ ଧରିବା ପାଇଁ ।

 

ଚାରିପାଶେ ହଂସକୁ ବେଢ଼ିଲେ ଯାଇ ।

।୫୫।

ସେ ଯେ ବ୍ରହ୍ମଲୋକରୁ ଆସିଛି ହେଳେ ।

 

ତାକୁ ଧରି ପାରିବ କେ କାହା ବଳେ ।

।୫୬।

 

 

ତାର ଇଚ୍ଛାଏ ହଂସ ଅଇଲା ପୁଣି ।

 

ଦମୟନ୍ତୀ ହସ୍ତରେ ବସିଲା ଜାଣି ।

।୫୭।

ଅତି ଶ୍ରଦ୍ଧା କରିଣ ରାଜକୁମାରୀ ।

 

କାହୁଁ ଅଇଲୁ ବୋଲି ତାକୁ ପଚାରି ।

।୫୮।

 

 

ଆନନ୍ଦ ହୋଇ କହଇ ହଂସପକ୍ଷୀ ।

 

ଶୁଣ ଅଇଲି ମୁଁ ଯହୁଁ ଚନ୍ଦ୍ରମୁଖୀ ।

।୫୯।

ମୁହିଁ ଅଇଲି ନଳରାଜନ ତହୁଁ ।

 

ତୋତେ ଭ୍ରଥାପଣକୁ ସମାନ ସେହୁ ।

।୬୦।

 

 

ଶୁଣି କୁମାରୀ ଚିତ୍ତେ ଆନନ୍ଦ ହୋଇ ।

 

ଏହିକ୍ଷଣି ବାରତା ତୁ କହ ଯାଇଁ ।

।୬୧।

ପିତା ସ୍ୱୟମ୍ବର ମୋର କରୁଅଛି ।

 

ବର ଚରିବି ମୋର ମନକୁ ବାଛି ।

।୬୨।

 

 

 

 

ନଳ ବେଗେଣେ ବିଜେ କରନ୍ତୁ ଆସି ।

 

ରାଜାସମୂହ ଭିତରେ ଥାନ୍ତୁ ବସି ।

।୬୩।

ତାଙ୍କୁ ବରିବି ସୁକୃତ କଲି ମୁହିଁ ।

 

ଏତେ ବୋଲିଣ ହଂସକୁ ଛାଡ଼ିଦେଇ ।

।୬୪।

 

 

ହଂସ ଉଡ଼ିକରି ବେଗେ ଚଳିଗଲା ।

 

ନଳରାଜା ଛାମୁରେ ପ୍ରବେଶ ହେଲା ।

।୬୫।

ସର୍ବ ସନ୍ଦେଶ ଶୁଭ ବାରତା କହି ।

 

ବ୍ରହ୍ମଲୋକକୁ ହଂସ ଚଳିଣ ଯାଇ ।

।୬୬।

 

 

ଭୀମରାଜା ଦୁହିତାର ସ୍ୱୟମ୍ବର ।

 

ନଳ ଛାମୁରେ ଆସି କହିଲା ଚାର ।

।୬୭।

ପ୍ରଭୁ ତୁରିତେ ତୁମ୍ଭେ ବିଜୟ କର ।

 

ସର୍ବ ରାଜା ବିଜେ କୁଣ୍ଡୀ କଟକର ।

।୬୮।

 

 

ତାର ସନ୍ଦେଶ ରାଜା ଯହୁଁ ପାଇଲେ ।

 

ରଥେ ଚଢ଼ିଣ ବେଗେଣ ଚଳିଗଲେ ।

।୬୯।

ନଗ୍ର କିଛିଦୂରେ ରହିଅଛି ପୁଣ ।

 

ପଥେ ଚାରି ବିମାନ ଦେଖିଲେ ଜାଣ ।

।୭୦।

 

 

 

 

ଇନ୍ଦ୍ର ଅଗ୍ନି ବରୁଣ କୁବେର ଚାରି ।

 

ତାଙ୍କୁ ଦେଖିଣ ସେହୁ ପ୍ରଣାମ କରି ।

।୭୧।

ସେହୁ ବୋଲନ୍ତି ନଳ ଆସ ହୋ ତୁହି ।

 

ଦୂତପଣେ ଦମୟନ୍ତୀକି କହ ଯାଇ ।

।୭୨।

 

 

ତୁ ତ ଧର୍ମିକ ବଡ଼ ଅଟୁ ରାଜନ ।

 

ଦୁତପଣକୁ ତୁହି ସେ ବର୍ତ୍ତମାନ ।

।୭୩।

ବୋଲେ ଇନ୍ଦ୍ର ଅଗ୍ନି ବରୁଣ କୁବେର ।

 

ସ୍ୱୟମ୍ବରକୁ ଆସିଅଛନ୍ତି ତୋର ।

।୭୪।

 

 

ଆମ୍ଭ ଗୁଣ ଯାହା ସବୁ ଜଣାଇବୁ ।

 

ତାର ଆଗରେ ସର୍ବ ତୁ ବଖାଣିବୁ ।

।୭୫।

ଇଚ୍ଛା ହୋଇବ ଯାହାକୁ ତାକୁ ବରୁ ।

 

ତାର ନିମନ୍ତେ ଆସିଛୁ ସ୍ୱର୍ଗପୁରୁ ।

।୭୬।

 

 

ଶୁଣି ନଳ ଯେ ବଡ଼ ବିଷାଦ ପାଇ ।

 

ସନ୍ଧି କଥା ଶୁଣି ପାଏ ପଡ଼ି ଶୋଇ ।

।୭୭।

ପ୍ରଭୁ ତୁମ୍ଭେ ଅନ୍ତର୍ଗତ କଥା ଜାଣ ।

 

ମୁହିଁ କିସ କଥା କହିବଇଁ ପୁଣ ।

।୭୮।

 

 

 

 

ଆନ ଜଣେ ଦୁତପଣେ ବରଗିବ ।

 

ମୋହୋ ଗଲେ ସମସ୍ତ ବିଘ୍ନ ହୋଇବ ।

।୭୯।

ଏହୁ ବଚନ ଚାରି ଦେବତା ଶୁଣି ।

 

ଧନ୍ୟ ଧନ୍ୟ କଲେ ତାକୁ ପୁଣ ପୁଣି ।

।୮୦।

 

 

ତୁହୋ ଆମ୍ଭର ନାମ ଧରିଣ କହ ।

 

କିଛି ଚିନ୍ତା ନ କରି ଚଳିଣ ଯାଅ ।

।୮୧।

ତାର ଇଚ୍ଛା ହେଲେ ସେ ଆମ୍ଭଙ୍କୁ ବରୁ ।

 

ଆମ୍ଭେ ଜାଣୁ କାହା ହଂସ ସଙ୍କେତରୁ ।

।୮୨।

 

 

ନଳ ବୋଇଲେ ଶୁଣ ଦେବତାବର ।

 

ତୁମ୍ଭ ଆଜ୍ଞା ପ୍ରମାଣେ ହୋଇଲି ଚାର ।

।୮୩।

ମୁହିଁ କେମନ୍ତେ ହୋଇ ତହିଁକି ଯିବି ।

 

କନ୍ୟା ବୋଲି କାହାକୁ ସମ୍ଭାଷ ଦେବି ।

।୮୪।

 

 

କୁହୋ ଆମ୍ଭର ଆଜ୍ଞା ଘେନିଣ ଯାଅ ।

 

ଦ୍ୱାରେ କେହୁ ନ ଦେଖୁ ଭିତରେ ହୁଅ ।

।୮୫।

ତୋତେ ଚାହିଁଣ ଉତ୍ତର ଦେବ ଯେହୁ ।

 

ଦମୟନ୍ତୀଟି ନିଶ୍ଚୟେ ଜାଣ ସେହୁ ।

।୮୬।

 

 

 

 

ଆଜ୍ଞା ପ୍ରମାଣେ ସେ ସେହିକ୍ଷଣି ଗଲେ ।

 

ଯାଇ ଦମୟନ୍ତୀ ଛାମୁରେ ମିଳିଲେ ।

।୮୭।

କନ୍ୟା ଦେଖିଲା ଅତି ଅପୂର୍ବ ରସ ।

 

ରାଜା ଅନ୍ତଃପୁରରେ ଏକ ପୁରୁଷ ।

।୮୮।

 

 

ଏ ଯେ କେହୁ ଅଟଇ କାହିଁକି ଥାଏ ।

 

ହଂସ କହିଛି ନଳ ନ ପୁଣ ହୋୟେ ।

।୮୯।

ମନେ ସୁମରିଣ ସେ ରାଜକୁମାରୀ ।

 

ଅତି ସଲକ୍କେଣ ପୁଣ ସେ ବିଚାରି ।

।୯୦।

 

 

ହଂସ ଯାହା ସେ କହି ଯାଇଛି ମୋତେ ।

 

ସେହି ହୋଇବ ପରା ଯାଉଛି ପ୍ରତେ ।

।୯୧।

ଏତେ ବୋଲି ଉଠିଣ ପ୍ରଲମ୍ବ କଲା ।

 

ସ୍ୱାମୀ ! କେଣେ ଅଇଲ ସେ ପଚାରିଲା ।

।୯୨।

 

 

ଯହୁଁ ଦମୟନ୍ତୀ କହିଲା ଉତ୍ତର ।

 

ନଳ ବୋଇଲେ ବାମା ମୋ ବୋଲ କର ।

।୯୩।

ମୁହଁ ଦୁତପଣେ ଆସିଅଛି ତୋତେ ।

 

ଏହୁ କଥାକୁ ଅବଧି ଯିବୁ ପ୍ରତେ ।

।୯୪।

 

 

 

 

ସ୍ୱର୍ଗେ ଶୁଣିଲେ ତୋହର ସ୍ୱୟମ୍ବର ।

 

ତେଜି ଆସିଅଛନ୍ତି ଅମରପୁର ।

।୯୫।

ଦେବ, ଇନ୍ଦ୍ର, ଅଗ୍ନି, ବରୁଣ, କୁବେର ।

 

ରୂପ ଗୁଣ ସୁମରି ଅଇଲେ ତୋର ।

।୯୬।

 

 

ତୁ ତ ଧର୍ମଶାସ୍ତ୍ର ଶୁଣିଅଛୁ ସର୍ବ ।

 

ସେ ତ ସ୍ୱର୍ଗେ ଠାକୁର ଦେବାଧିଦେବ ।

।୯୭।

ତାଙ୍କ ବଡ଼ପଣ ମୁଁ କହିବି କେତେ ।

 

ଯେବେ ମୁର୍ଖ ହୁଅନ୍ତି ବୁଝାନ୍ତି ତୋତେ ।

।୯୮।

 

 

ଚାରି ଦେବଙ୍କ ମଧ୍ୟୁ ଜଣକୁ ବର ।

 

ତୁମ୍ଭେ ପ୍ରଭୁ ହୋଇବଟି ସ୍ୱର୍ଗପୁର ।

।୯୯।

କ୍ଷିତି ଭିତରେ ଯଶ ଥିବଟି ମୋର ।

 

ଏହି କଥା ପାଳ ତୁ ଆନ ନ କର ।

।୧୦୦।

 

 

ଯହୁଁ ନଳ ଦେଲେ ଏହୁ ଆଜ୍ଞା ବାଣୀ ।

 

ଦମୟନ୍ତୀ ତରସ୍ତ ହୋଇଲେ ଶୁଣି ।

।୧୦୧।

ଯାହା କହିଲ ହେ ବୀରସେନ ସୁତ ।

 

ସେହୁ ମହାପ୍ରମୁ ଯେ ଅଟନ୍ତି ସତ ।

।୧୦୨।

 

 

 

 

ହଂସ ଆଗରେ ତୋତେ ବରିଛି ମୁହିଁ ।

 

ଏବେ ସତ୍ୟଭଗ୍ନ କିମ୍ପା ହୋଇବଇଁ ।

।୧୦୩।

ମନ ବଚନ କର୍ତ୍ତବ୍ୟ ଏକା ମୋର ।

 

ଦେବେ କାର୍ଯ୍ୟ ନାହିଁ ମୁଁ ଅଟଇ ତୋର ।

।୧୦୪।

 

 

ଚାରିଦେବଙ୍କୁ ଏମନ୍ତ କହ ଯାଇଁ ।

 

ବିଜେ କରନ୍ତୁ ସେ ସ୍ୱୟମ୍ବର ଠାଇଁ ।

।୧୦୫।

ତାଙ୍କ ଛାମୁରେଣ ମୁଁ ବରିବି ତୋତେ ।

 

ତୋର ଚିତ୍ତ ସେ ଶୁଦ୍ଧ କରନ୍ତୁ ପ୍ରତେ ।

।୧୦୬।

 

 

ଦେବତାଏ ଯେବେ ସତ କରିଛନ୍ତି ।

 

ସେହୁ ଅଧମ କିପାଇଁ ବିଚାରନ୍ତି ।

।୧୦୭।

ଏହା ଶୁଣି ଲେଉଟିଲେ ନଳରାଏ ।

 

ଯାଇ ଦିଗପାଳଙ୍କ ସନ୍ନିଧେ ହୋଏ ।

।୧୦୮।

 

 

ନଳ ଦମୟନ୍ତୀଙ୍କ ଯେତେ ଉତ୍ତର ।

 

ସର୍ବ ସତ୍ୟ କରି କହଇ ଛାମୁର ।

।୧୦୯।

ପଛେ ବୋଇଲା ସତ କି ମିଛ ପୁଣ ।

 

ସର୍ବ ଅନ୍ତର୍ଗତ କଥା ତୁମେ ଜାଣ ।

।୧୧୦।

 

 

 

 

ଶୁଣି ପ୍ରସନ୍ନ ହୋଇଲେ ଦେବ ଚାରି ।

 

ବର ଦେଲେ ନଳ ଯାହା ବାଞ୍ଛା କରି ।

।୧୧୧।

ନଳ ସତ୍ୟ ତୋହୋରେ ଜାଣିଲୁ ଏବେ ।

 

କର୍ଣ୍ଣେ ଶୁଣିଣ ଥିଲୁ ଯାହା ପୁରୁବେ ।

।୧୧୨।

 

 

ଏତେ ବୋଲି ଚଳିଗଲେ ପରଖର ।

 

ଯାଇ ପ୍ରବେଶ ସେ କୁଣ୍ଡୀ କଟକର ।

।୧୧୩।

ତହିଁ ସ୍ୱୟମ୍ବର ସଭା ଅଛି ହୋଇ ।

 

ରାଜା ସମୂହରେ ସେ ବସିଲେ ଯାଇଁ ।

।୧୧୪।

 

 

କିଛି ବେଳ ବସି ପୁଣି ଥିଲେ ତହିଁ ।

 

ସଭା ମଧ୍ୟରେ ଦମୟନ୍ତୀ ଆସି ହୋଇ ।

।୧୧୫।

କରେ ଅଷ୍ଟ ରତ୍ନରେ ଜଡ଼ିତ ମାଳା ।

 

ରାଜାମାନଙ୍କୁ ଟେକି ଚାହିଁଲା ବାଳା ।

।୧୧୬।

 

 

ନଳ ରାଜାଙ୍କୁ ଅନାଇ ମନେ ମନ ।

 

ସେହିରୂପେ ଦେଖିଲାକ ପାଞ୍ଚଜଣ ।

।୧୧୭।

ମନେ ହେଜିଲା ଦେବତାଙ୍କର ମାୟା ।

 

ନଳ ସ୍ୱରୂପେ ହୋଇଲେ ପଞ୍ଚୁକାୟା ।

।୧୧୮।

 

 

 

 

ଯହୁଁ ଏସନ କୂଟ ରାମା ଜାଣିଲା ।

 

ଦେବ ମାନବ ଛିଦ୍ର ସେ ବିଚାରିଲା ।

।୧୧୯।

ଦେବତାଙ୍କ ଲକ୍ଷଣ ଅଛି ଏସନ ।

 

ସ୍ୱେଦ ନ ଥାଇ ନ ଶୁଖଇ ଚନ୍ଦନ ।

୧୨୦।

 

 

ଧରଣୀରେ ପାଦ ନ ଲାଗଇ ପୁଣ ।

 

ଆଭରଣ ପୁଷ୍ପ ନ ହୋଇ ମଳିନ ।

।୧୨୧।

ଚକ୍ଷୁ ତରଙ୍ଗ ଆଉ ତାଙ୍କର ନାହିଁ ।

 

ଦେବ ମାନବ ଜାଣି ବରିବି ମୁହିଁ ।

।୧୨୨।

 

 

ଏହୁ ନିର୍ଣ୍ଣୟ କଥା ଜାଣିବା ପାଇଁ ।

 

ଚାହିଁ ଦେଖିଲା ଦେବ ଲକ୍ଷଣ ନାହିଁ ।

।୧୨୩।

ଏହା ବିଚାରି ମନେ ଆଶ୍ଚର୍ଯ୍ୟ ପାଇ ।

 

ସଦ୍‌ଜ୍ଞାନ ଚିତ୍ତରେ ସେ ବିଚାରଇ ।

।୧୨୪।

 

 

ତୁମ୍ଭେ ସତ୍ୟ ଧର୍ମ ଅଛ ଭିଆଇଣ ।

 

ମୋତେ କିମ୍ପାଇ ୟେଡ଼େ ନିଷ୍ଠୁରପଣ ।

।୧୨୫।

ତାର ଭଗତି ଘେନିଲେ ସୁରେଶ୍ୱର ।

 

ଧନ୍ୟ ସତି ! ତୁ ନଳକୁ ବେଗେ ବର ।

।୧୨୬।

 

 

 

 

ଦେବତେଜ ପ୍ରକାଶିଲେ ଦେବ ଚାରି ।

 

ମାଳା ଦେଇ ଦମନ୍ତୀ ନଳକୁ ବରି ।

।୧୨୭।

ରାଜାମାନେ ଯେ ଯାହା ରାଜ୍ୟକୁ ଗଲେ ।

 

ନଳ ଦମୟନ୍ତୀଙ୍କି ବିଭା କରାଇଲେ ।

।୧୨୮।

 

 

ଭୀମରାଜା କନ୍ୟାକୁ ସମପ ଦେଲେ ।

 

ସର୍ବ ମଙ୍ଗଳ ଉତ୍ସବ କରାଇଲେ ।

।୧୨୯।

ବିଧିମତ ସମସ୍ତ ଯୌତୁକ ଦେଇ ।

 

ନଳ ଦମନ୍ତୀକି ସେ ପାଛୋଟି ଯାଇ ।

।୧୩୦।

 

 

ପଥୁ ପିତାମାତା ବାହୁଡ଼ିଲେ ପୁଣ ।

 

ନଳ କଟକେ ପ୍ରବେଶ ହୋୟେ ଜାଣ ।

।୧୩୧।

ଅତି ହରଷେ ସେ ନଗ୍ରପୁରଜନେ ।

 

ଚିନ୍ତା ନାହିଁ ତାଙ୍କର କାହାରି ମନେ ।

।୧୩୨।

 

 

ନଳଚରିତ ଏହୁ ଅପୂର୍ବ ରସ ।

 

କର୍ଣ୍ଣେ ଶୁଣିଲେ ପାତକ ହୋଏ ନାଶ ।

।୧୩୩।

ରାମ ନାମ ସୁମରଣା କର ମନେ ।

 

କୃଷ୍ଣକୀର୍ତ୍ତନ ଏକା ଶୁଣିବ କର୍ଣ୍ଣେ ।

।୧୩୪।

 

 

 

 

ମାୟା ସଂସାର ଏ ମିଛ ଖେଳଘର ।

 

ନାରାୟଣ ନାମ ଧରି ହୋଅ ପାର ।

।୧୩୫।

ସର୍ବମଙ୍ଗଳ ନାମ ପ୍ରଭୁ ତୁମ୍ଭର ।

 

ମଧୁସୂଦନକୁ ରଖ ଚକ୍ରଧର ।

।୧୩୬।

 

ଦ୍ୱିତୀୟ ଛାନ୍ଦ

ରାଗ-ଗୁଜୁରୀ

(ସୁବର୍ଣ୍ଣ କଲ୍ୟାଣୀ ବାଣୀରେ ଗାଇବ)

ଏସନକ କଥା ଶୁଣ ଅତି ସୁନ୍ଦର ।

 

ମାରକଣ୍ଡ ଋଷି କହେ ରାମ ଛାମୁରେ ।

।୧।

ଇନ୍ଦ୍ର ବିଜେ କରି ସ୍ୱର୍ଗପୁରରୁ ଯାଇ ।

 

ଅଗ୍ରତେ ଆସିଣ କଳି ଦ୍ୱାପର ହୋଇ ।

।୨।

 

 

ଆଜ୍ଞା ଦେଲେ ମଘବା ହୋ କେଣିକି ଯାଅ ।

 

ସତ୍ୟ କରି କଥା ଆମ୍ଭ ଅଗ୍ରତେ କହ ।

।୩।

ଆମ୍ଭେ ଯାଉଅଛୁ ପ୍ରଭୁ କୁଣ୍ଡୀକଟକ ।

 

ତହିଁ ରୁଣ୍ଡ ହୋଇଛନ୍ତି ଭୂସ୍ୱର୍ଗ ଲୋକ ।

।୪।

 

 

ସେ ନଗ୍ରର ରାଜନ ଯେ ଅଟଇ ଭୀମ ।

 

କନ୍ୟା ଏକ ଅଛି ତାର ଅତି ଉତ୍ତମ ।

।୫।

ଦମୟନ୍ତୀ ନାମ ତାର ଶୁଣ ବିଡ଼ୋଜା ।

 

ସ୍ୱୟମ୍ବର ତାକୁ କରୁଅଛି ସେ ରାଜା ।

।୬।

 

 

 

 

ସେ ସଭାରେ ଗୋପ୍ୟରୁପେ ବସିଣ ଥିବୁଁ ।

 

କ୍ଷଣେ କ୍ଷଣେ ଆମ୍ଭେ ଆନ ମୂର୍ତ୍ତି ଧରିବୁ ।

।୭।

ତାର ଇଚ୍ଛା ହୋଇଲେ ବରିବ ଆମ୍ଭଙ୍କୁ ।

 

ନୋହିଲେ ଆସିବୁ ତେବେ ସ୍ୱର୍ଗପୁରକୁ ।

।୮।

 

 

ୟେହା ଶୁଣି ଆଜ୍ଞା ଦେଲେ ପାକଶାସନ ।

 

ଆମ୍ଭେ ସେ ସଭାରେ ଥିଲୁ କହୁ ତା ଶୁଣ ।

।୯।

କନ୍ୟାର ଇଚ୍ଛାରେ ବର ବରିଲା ଯେବେ ।

 

ସର୍ବ ଲୋକେ ଯେ ଯାହାର ଅଇଲୁ ତେବେ ।

।୧୦।

 

 

ଏ କଥା ଶୁଣିଣ କ୍ରୋଧେ କଳି ପଚାରି ।

 

କାହାକୁ ବରିଲା ସେହୁ ରାଜକୁମାରୀ ।

।୧୧।

ବୀରସେନ ସୁତ ସେହୁ ନଳକୁ ବରି ।

 

ତାହା ରୂପ ଗୁଣକୁ ସେ ଅଟଇ ସରି ।

।୧୨।

 

 

ରୋଷେ କଳି ବୋଲୁଅଛି ଏହୁ ବଚନ ।

 

ତୁମ୍ଭକୁ ନ ବରି କିମ୍ପା ବରିଲା ଆନ ।

।୧୩।

ଏଣୁ କରି ତାଙ୍କୁ ମୁହଁ ଦଣ୍ଡ ବହିବି ।

 

ଦ୍ୱାପରକୁ ସଙ୍ଗେ ଘେନି ମଞ୍ଚକୁ ଯିବି ।

।୧୪।

 

 

 

 

ସୁନାସୀର ଆଜ୍ଞା ଦେଲେ ଶୁଣ ହୋ କଳି ।

 

ବଡ଼ ସେ ଧାର୍ମିକ ସତ୍ୟ ଅଛଇ ପାଳି ।

।୧୫।

ତାହାକୁ ତୁ ଦୁଃଖ ହାଦେ ଯେବେ ବିହିବୁ ।

 

ଧର୍ମର ପ୍ରମାଣେ ବଡ଼ ଦୁଃଖ ପାଇବୁ ।

।୧୬।

 

 

ଏତେ ବୋଲି ଚଳିଗଲେ ଅମରେଶ୍ୱର ।

 

ବସୁନ୍ଧରୀକୁ ଅଇଲେ କଳି ଦ୍ୱାପର ।

।୧୭।

ନଳପୁରେ ଆସି ସେହୁ ପ୍ରବେଶ ହୋଇ ।

 

ସଦାଚାର ଦେଖି ତାର ଜଗିଣ ଥାଇ ।

।୧୮।

 

 

ଏହିମତେ ଗଲା ବହୁତ ଦିନ ।

 

ପୁତ୍ର ଦୁହିତା ହୋଇଲା ନଳ ରାଜନ ।

।୧୯।

ୟେକ ପୁତ୍ର ବୋଲି ଇନ୍ଦ୍ରସେନ ତା ନାମ ।

 

ରୂପେଣ ଅଟଇ ସେହୁ ଦ୍ୱିତୀୟ କାମ ।

।୨୦।

 

 

ଦୁହିତା ହୋଇଲା ଇନ୍ଦ୍ରସେନୀ ତା ନାମ ।

 

ସମାନ ରତିକି ସେହୁ ସର୍ବଗୁଣେଣ ।

।୨୧।

ଏକଦିନେ ନଳରାଜା ନିଦ୍ରା ଅଳସେ ।

 

ଆର୍ଦ୍ରପାଦେ ପହୁଡ଼ିଲେ ଶେଯେ ପ୍ରବେଶେ ।

।୨୨।

 

 

 

 

ଏତେ ଛିଦ୍ର ଅନାଚାର ଯହୁଁ ପାଇଲା ।

 

ରାଜନ ଅଙ୍ଗରେ ଯାଇ କଳି ପଶିଲା । ।

।୨୩।

ଦ୍ୱାପରକୁ ବୋଇଲା ତୁ ସାହା ହୋଇବୁ ।

 

ମୁଁ ଯାହା ବାଞ୍ଛା କରିବି ସେଠାରେ ଥିବୁ ।

।୨୪।

 

 

ଯେତେବେଳେ କଳି ଆସି ପ୍ରବେଶ ହୋଇ ।

 

ରାଜାର ମନ ଉଚ୍ଛନ୍ନ, ନ ରୁଚେ କେହି ।

।୨୫।

ଶର୍ବରୀ ଶେଷରେ ପ୍ରାତଃକାଳ ହୋଇଲା ।

 

ନିତ୍ୟକର୍ମ ଆଦି ରାୟେ ସର୍ବ ସାରିଲା ।

।୨୬।

 

 

ବଡ଼ ଅବକାଶେ ସିଂହାସନେ ବସିଲେ ।

 

ପାତ୍ର ମନ୍ତ୍ରୀ ଅମନାତ୍ୟେ ଦର୍ଶନ କଲେ ।

।୨୭।

ପୁଷ୍ଠର ବୋଲିଣ ବୀରସେନର ସୁତ ।

 

କ୍ଷତ୍ରିୟ ନୁହଇ ସେହୁ ଶୁଦ୍ର ସମ୍ଭୁତ ।

।୨୮।

 

 

ଆଜ୍ଞା ଦେଲା ରାୟେ ହାଙ୍କି ତାହାକୁ ଆଣ ।

 

ଚାରଗଣେ ଭେଟାଇଲେ ତାହାକୁ ପୁଣ ।

।୨୯।

ପୁଷ୍କର ତୁ ଆସ ଆମ୍ଭେ ପଶା ଖେଳିବା ।

 

ଯେତେ ଧନ ବୋଲିବୁ ତା ପୀଢ଼ କରିବା ।

।୩୦।

 

 

 

 

ଏତକ ବୋଲିଣ ସାର ହକରାଇଲେ ।

 

ସିଂହାସନ ତଳେ ପଶା ସାର ପାଡ଼ିଲେ ।

।୩୧।

କାଠି ହୋଇଣ ଯେ ପଡ଼ିଥିଲା ଦ୍ୱାପର ।

 

ଅଷ୍ଟରତ୍ନେ ଜଡ଼ିତ ସେ ଅତି ସୁନ୍ଦର ।

।୩୨।

 

 

ପଶାସାର ଘେନି ସେହୁ ପଶା ଖେଳିଲେ ।

 

ସେ ଦିନ ବହୁତ ଧନ ରାୟେ ହାରିଲେ ।

।୩୩।

ଏହି ମତେ ଦୁଇ ଚାରି ଦିବସ ଗଲା ।

 

ଭିତର ଭଣ୍ଡାର ଯହୁଁ ରାଜା ସାରିଲା ।

।୩୪।

 

 

ଏହୁ ଅଲକ୍ଷଣ କଥା ଦେଖି ଦମନ୍ତୀ ।

 

ଆପଣା ଛାମୁକୁ ସେହୁ ପାତ୍ର ଅଣାନ୍ତି ।

।୩୫।

ଆଜ୍ଞା ଦେଲେ ପାତ୍ର ମୋର ବଚନ ଶୁଣ ।

 

ଜୁତରେ ଅଜ୍ଞାନ ରାଜା ହୋଇଲେ ଜାଣ ।

।୩୬।

 

 

ପୁତ୍ର ଦୁହିତାଙ୍କୁ ମୋ ବସାଇ ରଥରେ ।

 

ଛାଡ଼ିଣ ଆସ ତୁ ବେଗେ କୁଣ୍ଡୀ ନଗରେ ।

।୩୭।

ୟେହୁ ଆଜ୍ଞା ପାଇ ପାତ୍ର ରଥ ଅଣାଇ ।

 

ପାଟ ମହାଦେଈଙ୍କ ଛାମୁରେ ଜଣାଇ ।

।୩୮।

 

 

 

 

ପୁତ୍ର ଦୁହିତାଙ୍କୁ ସଜ କରି ଆଣିଲେ ।

 

ଆପଣା ଭଣ୍ଡାର ଯେତେ ସବୁ ତା ଦେଲେ ।

।୩୯।

ରହୁବର ଚଢ଼ାଇଣ ବୋଇଲେ ଯାଅ ।

 

ପିତାଙ୍କ ଛାମୁରେ ଏହି ସନ୍ଦେଶ ଦିଅ ।

।୪୦।

 

 

କହିବ ନଳରାଜନ ହୋଇଲେ ବାଇ ।

 

ରାତ୍ର ଦିବା ବସି ଏକା ଜୁତ ଖେଳଇ ।

।୪୧।

ପୂର୍ବର ତପସ୍ୟା ଯେବେ ଥିବ ମୋହର ।

 

ଦର୍ଶନ କରିବି ଯାଇ ତାଙ୍କ ପୟର ।

।୪୨।

 

 

ୟେ ପୁତ୍ର ଦୁହିତା ତାଙ୍କ ଧର୍ମରୁ ହୋଇ ।

 

ୟେହାଙ୍କର ଭଲମନ୍ଦ ତାଙ୍କୁ ଲାଗଇ ।

।୪୩।

ୟେତେ କହି ଶୋକଭରେ ଭିତରେ ପଶି ।

 

ରତ୍ନ ଖଟ ଉପରେ ସେ ପହୁଡ଼େ ଆସି ।

।୪୪।

 

 

ଇନ୍ଦ୍ରସେନ ଇନ୍ଦ୍ରସେନୀ ରଥ ଆରୋହି ।

 

ପଥ ଅନୁସରି କୁଣ୍ଡୀନଗ୍ରରେ ହୋଇ ।

।୪୫।

ଭୀମରାଜାଙ୍କ ଚରଣ ଦର୍ଶନ କଲେ ।

 

ମାତାଙ୍କ ବଚନ ସେ ବୁଝାଇ କହିଲେ ।

।୪୬।

 

 

 

 

ଶୁଣି ମହାରୟେ ବଡ଼ ତାପ ପାଇଲେ ।

 

ଅନ୍ତପୁର ଭିତରେ ସେ ପ୍ରବେଶ ହେଲେ ।

।୪୭।

ଅତି ସୁଖେ ରହିଲେ ସେ ପୁତ୍ର ଦୁହିତା ।

 

ଭୀମ ମହାରାଜା ମନେ ବହୁତ ଚିନ୍ତା ।

।୪୮।

 

 

ଡଗରମାନଙ୍କୁ ସେ ପଠିଆଇ ଦେଲେ ।

 

ନଳ ଦମନ୍ତୀ ବାରତା ଆଣ ବୋଇଲେ ।

।୪୯।

ଶୁଣ ସୁଜ୍ଞଜନେ ଏହୁ ନଳଚରିତ ।

 

ଯାହା ଶୁଣନ୍ତେଣ ନର ହୋୟେ ପବିତ୍ର ।

।୫୦।

 

 

ମାରକଣ୍ଡ ୠଷି ରାମ ଅଗ୍ରତେ କହି ।

 

ୟେକମନେ ଶୁଣ ନରେ ତାପ ଫିଟାଇ ।

।୫୧।

ଶ୍ରୀରାମର ନାମ ନରେ ମନେ ସୁମର ।

 

ମଧୁସୂଦନକୁ ଜଗନ୍ନାଥେ ଉଦ୍ଧାର ।

।୫୨।

 

ତୃତୀୟ ଛାନ୍ଦ

ଦିଶ-କେଦାର । (ଚକ୍ରକେଳୀ ବାଣୀ)

ରାମ ମାରକଣ୍ଡଙ୍କ ପାଦ ଧରି ।

 

ଅତି ଆକୁଳ ହୋଇଣ ପଚାରି ।

।୧।

ନଳ-ଚରିତ କହ ମହାଜ୍ଞାତା ।

 

ଶୁଣି ଛାଡ଼ିବ ମୋର ମନବ୍ୟଥା ।

।୨।

 

 

ରାମ ଛାମୁରେ ମାରକଣ୍ଡ କହେ ।

 

ନଳ-ଚରିତ ଏହୁ ପୁଣ୍ୟମୟେ ।

।୩।

ଯେହୁ ଶୁଣନ୍ତି ଏକମନ ହୋଇ ।

 

ତାର ଦୁଷ୍କୃତ ସବୁ ନାଶ ଯାଇ ।

।୪।

 

 

ଏବେ ଶୁଣ ଏକ ଅପୂର୍ବ ରସ ।

 

ନଳରାଜା ଜୁତେ ହୋୟେ ଆବେଶ ।

।୫।

ସର୍ବ ଭଣ୍ଡାର ରାଜା ଯେ ହାରିଲା ।

 

ରଥ ଗଜ ଅଶ୍ୱ ସେ ପୀଢ଼ କଲା ।

।୬।

 

 

କିଛି ଦିନ ପରେ ସବୁ ସାରିଲା ।

 

ରାଜ୍ୟ ମଧ୍ୟ କରି ସେହୁ ହାରିଲା ।

।୭।

କେତେବେଳେ ପୁଷ୍କର ବୋଲେ ବାଣୀ ।

 

କିଛି ଅଛି ତୁ ପୀଢ଼ କର ଆଣି ।

।୮।

ନଳ ବୋଇଲେ ଏବେ ଆତ୍ମା ମୋର ।

 

ତୁ ହୋ ପୁଷ୍କର ବେଗେ କାଠି ପାର ।

।୯।

ୟେତେ ବୋଲିଣ ସେ ପୀଢ଼େ ଖେଳିଲେ ।

 

ରାଜା ବିପତ୍ତି ଜାଣି ନ ପାରିଲେ ।

।୧୦।

କଳି ଦ୍ୱାପର କପଟେ ପଡ଼ିଲେ ।

 

ନଳ ରାଜା ସେ ପୀଢ଼ରେ ହାରିଲେ ।

।୧୧।

ବୋଲେ ପୁଷ୍କର ନଳ ତୁମ୍ଭେ ଶୁଣ ।

 

କିସ ଅଛି ତା ତୁମ୍ଭେ ବେଗେ ଆଣ ।

।୧୨।

ନଳ ବୋଲନ୍ତି ମୋର କିଛି ନାହିଁ ।

 

ୟେହା ଶୁଣିଣ ପୃଷ୍କର କହଇ ।

।୧୩।

ତୋତେ ଧର୍ମଶୀଳ ବୋଲି ବୋଲନ୍ତି ।

 

ସେହୁ ପଣ୍ଡିତେ କିଛି ନ ଜାଣନ୍ତି ।

।୧୪।

ତୁହୋ ବଡ଼ ମାୟାବୀ ନଳରାୟେ ।

 

ଏଡ଼େ ମିଛ ତୁ କହୁଛୁ ସଭାୟେ ।

।୧୫।

ଦମୟନ୍ତୀକି ଆଣି ପୀଢ଼ କର ।

 

ସେହୁ ଦ୍ରବ୍ୟ ତ ଅଟଇ ତୋହର ।

।୧୬।

 

 

ନଳ ମଉନେ ଶୁଣୁଥିଲେ ପୁଣି ।

 

କହେ ପୁଷ୍କର ଶୁଣ ମୋର ବାଣୀ ।

।୧୭।

ମୁହିଁ ଆତ୍ମା ଯେବେ ହାରି ନ ଥାନ୍ତି ।

 

ତେବେ ଦମୟନ୍ତୀ ପୀଢ଼େ ଆଣନ୍ତି ।

।୧୮।

 

 

ଏବେ ଦମୟନ୍ତୀ ଉପରେ ମୁଁ କିସ ।

 

ଆମ୍ଭେ ଧାର୍ମିକ ହୋଇଲୁ ତୋ ଦାସ ।

।୧୯।

ସେହୁ ବଚନ ଶୁଣି ସେ ପୁଷ୍କର ।

 

କ୍ରୋଧେ ପହଇ ବଡ଼ ପରଖର ।

।୨୦।

 

 

ତୋର ସବୁ ଧର୍ମ ୟେ ବୁଡ଼ାଇଲୁ ।

 

ଯେଣୁ ଏଡ଼େ ମାୟା ମିଛ କହିଲୁ ।

।୨୧।

ଏବେ ଆସ୍ଥାନୁ ଉଠସି ମୋହର ।

 

ବେଗେ ହୋଅ ତୁ ରାଜ୍ୟରୁ ବାହାର ।

।୨୨।

 

 

ନୋହୁ ମୁଖ ଚାହିଁବାକୁ ଭାର୍ଜନ ।

 

ସର୍ବ ଅଳଙ୍କାର ହୋ ବେଗେ ଘେନ ।

।୨୩।

ଆଜ୍ଞା ପାଇ ଚାରଗଣେ ଉଠିଲେ ।

 

ବେଗେ ଅଳଙ୍କାର ସେହୁ ଘେନିଲେ ।

।୨୪।

 

 

ପୁଣ ପୁଷ୍କର ବେଗେ ଆଜ୍ଞା ଦେଇ ।

 

ନଗ୍ରେ ଘୋଷଣ ଦିଅ ବେଗେ ଯାଇଁ ।

।୨୫।

ଯାହା ଦୁଆରେ ନଳ ଥିବ ରହି ।

 

ମୋର ଦୋରେହା ତହୁଁ ଆନ ନାହିଁ ।

।୨୬।

 

 

ଏହା ଶୁଣି ଚାରମାନେ ଧାଇଁଲେ ।

 

ନଗ୍ରେ ଡିଣ୍ଡିମ ଘୋଷ ଦିଆଇଲେ ।

।୨୭।

ଏଥୁ ଶୁଣିବା ଆନ ବିପରୀତ ।

 

ନଳ ସଭାରୁ ଉଠିଲେ ତୁରିତ ।

।୨୮।

 

 

ଶିରୀ ନବରୁ ବାହାର ହୋଇଲେ ।

 

ଏହୁ ବାରତା ଦମନ୍ତୀ ପାଇଲେ ।

।୨୯।

ସବୁ ବାହାର କଲେ ଅଳଙ୍କାର ।

 

ୟେକା ବସ୍ତ୍ରତେ ହୋଇଲେ ବାହାର ।

।୩୦।

 

 

ପଥ ଅନୁସରି ସେ ବେଗେ ଯାଇ ।

 

ରାଜା ଚରଣ ଦର୍ଶନ କରଇ ।

।୩୧।

ନଳ ଦେଖି ବଡ଼ ଚିନ୍ତା ପାଇଲେ ।

 

ଶୋକେ ଭାଷା ସେ କହି ନ ପାରିଲେ ।

।୩୨।

 

 

 

 

କିଛି ବେଳ ତୁନି ହୋଇ ରହିଲେ ।

 

ଦମୟନ୍ତୀକି ସେହୁ ଆଜ୍ଞା ଦେଲେ ।

।୩୩।

ତୁ ସେ ପିତା ଘରକୁ ବେଗେ ଯାଅ ।

 

କିଛି ଦିବସ ସେହିଠାରେ ଥାଅ ।

।୩୪।

 

 

ଏହା ଶୁଣି ଦମନ୍ତୀ ଶୋକ କରି ।

 

ତୁମ୍ଭ ସଙ୍ଗେ ମୋ ପିତା ନହେ ସରି ।

।୩୫।

ତାଙ୍କ ପୁରେ ମୋହର କିସ କାର୍ଯ୍ୟ ।

 

ମୁହିଁ ସଙ୍ଗତେ ଯିବି ମହାକାଳ ।

।୩୬।

 

 

ଏତେ ବୋଲି ବେନି ହୋଏ ବାହାର ।

 

ଚଳି ଯାଉଛନ୍ତି ଦାଣ୍ଡ ମଧ୍ୟର ।

।୩୭।

ନଗ୍ର ଲୋକମାନେ ଯେ ଦେଖୁଛନ୍ତି ।

 

ୟେକ ଆରେକ ସବୁ ବିଚାରନ୍ତି ।

।୩୮।

 

 

ବଡ଼ ଧାର୍ମିକ ବୀରସେନ ସୂତ ।

 

କଉଁ ବିଧାତା ଖେଳାଇଲା ଜୁତ ।

।୩୯।

ୟେବେ ଯାଉଅଛନ୍ତି ଅରଣ୍ୟକୁ ।

 

ବିହି କଷ୍ଟ ଥୋଇଅଛି ୟେହାଙ୍କୁ ।

।୪୦।

 

 

 

 

ୟେହୁ କଥା କହନ୍ତେ ପୁରଜନ ।

 

ତେଣେ ଶୁଭିଲା ରାଜାର ଘୋଷଣ ।

।୪୧।

ୟେହା ଶୁଣିଣ ସେହୁ ପୁରଲୋକେ ।

 

ଅତି ବ୍ୟାକୁଳ ହୋନ୍ତି ମହାଶୋକେ ।

।୪୨।

 

 

ନଳ ନଗ୍ରରୁ ବାହାର ହୋଇଲେ ।

 

ଦମୟନ୍ତୀ ସଙ୍ଗତେଣ ଅଇଲେ ।

।୪୩।

ଯାଇ ଅରଣ୍ୟେ ହୋଇଲେ ପ୍ରବେଶ ।

 

ଭୀମ ରାଜା ଦୂତ କହେ ସନ୍ଦେଶ ।

।୪୪।

 

 

କୁଣ୍ଡୀ ନଗ୍ରକୁ ପ୍ରଭୁ ବିଜେକର ।

 

ସେହି ରାଜ୍ୟରେ ହୋଇବ ଠାକୁର ।

।୪୫।

ରାଜା ଆମ୍ଭକୁ ପଠିଆଇଛନ୍ତି ।

 

ଶୁଭେ ବିଜେ କର ଘେନି ଦମନ୍ତୀ ।

।୪୬।

 

 

ନଳ ରାଜାର ଆୟତ୍ତ ନୋହଇ ।

 

କଳିଯୁଗ ଆୟତେ କହୁଥାଇ ।

।୪୭।

ଚାରମାନଙ୍କ ବଚନ ଶୁଣିଲେ ।

 

ଆମ୍ଭେ ନ ଯିବୁଁ ବୋଲି ଆଜ୍ଞାଦେଲେ ।

।୪୮।

 

 

 

 

ଦୂତମାନେ ପାଏ ପଡ଼ି ଶୋଇଲେ ।

 

କିସ କହିବୁ ବୋଲି ଜଣାଇଲେ ।

।୪୯।

ନଳ ଆଜ୍ଞାଦେଲେ ହୋ ବେଗେ ଯାଅ ।

 

ଯାହା ଦେଖିଲ ଛାମୁରେ ଜଣାଅ ।

।୫୦।

 

 

ଚାର ଲେଉଟି କିଛି ଦିନେ ଗଲେ ।

 

କୁଣ୍ଡୀ କଟକେ ପ୍ରବେଶ ହୋଇଲେ ।

।୫୧।

ଭୀମ ରାଜାଙ୍କ ପାଦେ ପଡ଼ି ହୋଇ ।

 

ଯଥା ଯୁଗତି ଛାମୁରେ ଜଣାଇ ।

।୫୨।

 

 

ଶୁଣି ରାଜା ଭ୍ରମ ହୋଇ ପଡ଼ିଲେ ।

 

ମୁଖେ ସୁବାସିତ ନୀର ସିଞ୍ଚିଲେ ।

।୫୩।

କିଛି ବେଳରେ ରାଜା ଜ୍ଞାନ ପାଇ

 

‘ନଳ’ ବୋଲି ଶୋକଭରେ କହଇ ।

।୫୪।

 

 

ରାଜା କେବେହେଁ ଶୋକ ନ ଛାଡ଼ିଲେ ।

 

ପୁଣି କ୍ରୋଧ କରି କ୍ଷିତି ପଡ଼ିଲେ ।

।୫୫।

ପାତ୍ର ସାମନ୍ତମାନେ ଆଗସରି ।

 

ଯେ ଯାହାରେ ଜଣାନ୍ତି ଅନୁସରି ।

।୫୬।

 

 

 

 

ଶୋକ ଛାଡ଼ି ମାଜଣା ବେଗେ ହୋଅ ।

 

ଚାରି ଦିଗକୁ ଦୂତ ବରଗାଅ ।

।୫୭।

ଯହିଁ ନଳ ଦମନ୍ତୀ ଥିବେ ରହି ।

 

ଖୋଜି ଆଣନ୍ତୁ ଚାରମାନେ ଯାଇ ।

।୫୮।

 

 

ରାଜା ଶୁଣିଣ ପ୍ରବୋଧ ହୋଇଲେ ।

 

ଦଶ ସହସ୍ର ବିପ୍ର ଆସୁ ବୋଲେ ।

।୫୯।

ପୁଣି ଆଜ୍ଞା ଦେଲେ ରାଜା ପାତ୍ରକୁ ।

 

ତୁମ୍ଭେ ଚଳ ହୋ ଭଣ୍ଡାର ଘରକୁ ।

।୬୦।

 

 

ଅୟୁତେକ ସୁବର୍ଣ୍ଣ କ୍ଷଣକରେ ।

 

ବେଗେ ମେଲାଣି ଦିଅ ଦ୍ୱିଜବରେ ।

।୬୧।

ଆଜ୍ଞା ପାଇ ପାତ୍ର ହୋୟେ ବାହାର ।

 

ଧନ ଲେଖିଣ ସେ ଦେଲେ ଛାମୁର ।

।୬୨।

 

 

ସବୁ ବିପ୍ରଙ୍କୁ ନମସ୍କାର କରି ।

 

ପାତ୍ର ବିନୋଇ କହେ ଆଗସରି ।

।୬୩।

ତୁମ୍ଭେ ଚାରି ଦିଗକୁ ବେଗେ ଯାଅ ।

 

ଶୁଭେ ନଳ ରାଜାକୁ ଭେଟ ପାଅ ।

।୬୪।

 

 

 

 

ଏତେ କହି ମେଲାଣି କରିଦେଲା ।

 

ତାଙ୍କ ଅଗ୍ରତେ ସବୁ ଜଣାଇଲା ।

।୬୫।

ଶୁଣ ନଳ ଚରିତ ଦିବ୍ୟ ରସ ।

 

ଯାହା ଶୁଣନ୍ତେ ପାପ ହୋଏ ନାଶ ।

।୬୬।

 

 

ଶ୍ୱେତପଦ୍ମ-ଡୋଳାକୁ ଲୟେ କର ।

 

କଳା ଶ୍ରୀମୁଖ ଶ୍ରୀରଙ୍ଗା ଅଧର ।

।୬୭।

ଯେହୁ ହେଳା କରି ଏହା ଭାବିବ ।

 

ଶିଶୁପାଳ ଭଗତି ସେ ପାଇବ ।

।୬୮।

 

 

ପୁରୁଷୋତ୍ତମ କ୍ଷେତ୍ରବର ଯିବ ।

 

ଯାଇ କୈବଲ୍ୟ ଦାତାକୁ ଭେଟିବ ।

।୬୯।

ତାଙ୍କ ପଦ୍ମଚରଣ ତଳେ ଥାଇ ।

 

ମଧୁସୂଦନ ଏ ଗୀତ ଭାବଇ ।

।୭୦।

 

ନଳଚରିତ

ଚତୁର୍ଥ ଛାନ୍ଦ

ରାଗ-ଚୋଖି

(ସପନ ଚେତିୟା ବାଣୀ)

ରାମ ପଚାରନ୍ତି ପୁଣ      ମାରକଣ୍ଡ ଋଷି ଶୁଣ

କଇକୟା ଆଈ ମୋତେ ଏ ଦୁଃଖ ଦେଲା ।

ଅରଣ୍ୟେ ଅଇଲି ମୁହିଁ      ପିତା ମୋର ହତ ହୋଇ

ସୀତୟା ସୁମୁଖୀ ମୋର ରାବଣ ନେଲା ।

ବିହି ଯାହା ଲିହିଛି କର୍ମେ

ଅଭିଷେକ ଛାଡ଼ି ମୁହିଁ ଅଇଲି ବନେ ।।

 

ପିତା ଦଶରଥ ମୋର      ବସିଥିବେ ସ୍ୱର୍ଗପୁର

ରାଜାମାନେ ଉପହାସ କରିବେ ଦେଖି ।

ବୋଲିବେ ସେ ଭଲ ପୁତ୍ର      ଜାତ କଲେ ଦଶରଥ

ଆପଣା ଭାରିଯାକୁ ନ ପାରିଲେ ରଖି ।

କହ ମୁନି ନଳର କଥା

ହୃଦରୁ ଛାଡ଼ିବ ମୋର ସୀତୟା ବ୍ୟଥା ।।

 

 

 

ଏଥୁ ଅନନ୍ତରେ ତହିଁ            ମାରକଣ୍ଡ ଋଷି କହି

ଶୁଣିମା ଶ୍ରୀରାମ ତୁମ୍ଭେ ନଳଚରିତ ।

ନଳ ଦମୟନ୍ତୀ ଯାଇ      ଅରଣ୍ୟ ଭିତରେ ହୋଇ

କ୍ଷୁଧା ପିପାସାରେ ହୋଇ ବଡ଼ ଦୁଃଖିତ ।

ବିଧାତାର ଯୋଗ ଏସନ

ନଳ ବଡ଼ ଦୁଃଖୀ ହୋଇ କହେ ବଚନ ।।

 

ଦମୟନ୍ତୀ ଶୁଣ ବାଣୀ      ଅତି କ୍ଷୁଧା କଲା ଆଣି

ଆହାର ନୋହିଲେ ଆଉ ନ ପାରେ ଯାଇ ।

ଏସନ ସମୟେ ତହିଁ      ଦ୍ୱାପର କପଟ ହୋଇ

କପୋତ ପକ୍ଷୀ ଗୁଡ଼ାଏ ଚରୁ ଅଛଇଁ ।

ଅଷ୍ଟରତ୍ନେ ଜଡ଼ି ସୁବର୍ଣ୍ଣ

ଦେଖିଲା ତ ନାହିଁ ପୂର୍ବ ପକ୍ଷୀ ଏସନ ।।

 

ରାଜା ଦେଖି ଲୋଭ କରି      କେମେନ୍ତେ ଏହାକୁ ଧରି

ୟେତେ ବୋଲି ଆପଣାର ବସ୍ତ୍ର ଫେଇଲା ।

ଅତି ତର ତର ହୋଇ      ବସ୍ତ୍ର ଘୋଡ଼ାଇ ପକାଇ

ବିଧାତାର ବଶୁଁ ବସ୍ତ୍ର ଘେନି ଉଡ଼ିଲା ।

ଉଲଗ୍ନେ ସେ ରାଜା ରହିଲା

ଦମନ୍ତୀ ଶାଢ଼ୀରୁ ଆଣି ପଣନ୍ତ ଦେଲା ।।

 

ଏକବସ୍ତ୍ର ଦୁଇଜଣ      ପିନ୍ଧି ଗମନ କରିଣ

କିଛି ଦୂରେ ମଣ୍ଡୋପେକ ଦେଖିଲେ ଯାଇଁ ।

ଚତୁର୍ଦ୍ଦିଗେ ଦାଣ୍ଡ ଚାରି      ଦ୍ୱାପର କପଟ କରି

ମଧ୍ୟରେ ମଣ୍ଡୋପ ସେହୁ ଅଛଇ ହୋଇ ।

ରାଜା ଦେଖି ମନେ ହରଷ

ଅତି ସୁଖେ ମଣ୍ଡୋପେଣ ହୋୟେ ପ୍ରବେଶ ।।

 

କିଛି ବେଳ ସୁସ୍ଥେ ରହି      ନଳ ଦମନ୍ତୀକି କହି

ଯେଉଁ ଦାଣ୍ଡେ ଗଲେ ଯେଉଁ ରାଜ୍ୟରେ ହୋଇ ।

ଦକ୍ଷିଣ ଦାଣ୍ଡେ ଦେଖାଇ      ରାଜା ସେ ପୁଣ ବୋଲଇ

ତୁମ୍ଭ ପିତା କଟକକୁ ୟେ ଦାଣ୍ଡେ ଯାଇ ।

ଶୁଣି ଶୋକ କରେ ଦମନ୍ତୀ

ମତେ ଛାଡ଼ି ପଳାଇବା ମନ କରନ୍ତି ।।

 

ୟେହା ଶୁଣି ନଳରାୟେ      ଅତି ଶୋକଭରେ କହେ

ମୋହର ଆୟତ୍ତ ଆଉ ନୋହଇ କେହୁ ।

ବିଧାତା ଯାହା କରିବ      କେ ତାହା ଜାଣି ପାରିବ

ମହୋର କଥାକୁ ତୁମ୍ଭେ ନ ଭାଲ ଆଉ ।

କିସ ଭ୍ରମ ବିଧାତା କଲା

କେଉଁ ପାତକକୁ ୟେତେ କଷ୍ଟ ବିହିଲା ।।

 

ୟେମନ୍ତେ ସେହୁ ଦିବସ      ତପନ ହୋଇଲା ଶେଷ

ଶର୍ବରୀ ଆସିଣ ପୁଣ ପ୍ରବେଶ ହୋଇ ।

ଜାଗ୍ରତ ଛାଡ଼ି ରାଜନ      ବେନି ଯେ କଲେ ଶୟନ

କଳି ଉଦବେଗେ ରାଜା ନିଦ ଭାଙ୍ଗଇ ।

ବିଚାରଇ ନଳ ରାଜନ

କିସ ଘେନି ୟେହୁ ବସ୍ତ୍ର କରିବି ଭିନ୍ନ ।।

 

ୟେହା ବିଚାରନ୍ତେ ରାୟେ      ପାରୁଶେ କଲେ ତଲୟେ

କିଛି ଦୂରେ ଅସିପତ୍ର ପଡ଼ିଣ ଥିଲା ।

ଦ୍ୱାପର କପଟ ହୋଇ      ଖଣ୍ଡା ହୋଇଥିଲା ତହିଁ

ନଳ ମନେ ହୃଷ୍ଟ ହୋଇ କରେ ଧଇଲା ।

ପାଟଶାଢ଼ୀ ଦିଭାଗ କଲା

ଦମନ୍ତୀର ଅଞ୍ଚଳେ ସଙ୍କେତ ଲିହିଲା ।।

 

ସତ୍ୱରେ କଲେ ଗମନ      କିଛି ଦୂରେ ନିଜ ଜ୍ଞାନ

ଦମନ୍ତୀକି ଅରଣ୍ୟରେ ୟେକା ଛାଡ଼ଇ ।

ପୁଣି ଲେଉଟିଲେ ରାୟେ      ମଣ୍ଡୋପ ସନ୍ନିଧେ ହୋୟେ

ଅଜ୍ଞାନ ମୋହରେ ପୁଣ ଲେଉଟି ଯାଇ ।

ୟେହି ଭାବେ ଶର୍ବରୀ ଶେଷ

କଳିର ଆୟତ୍ତେ ରାଜା କଲେ ନିବାସ ।।

 

ଦମନ୍ତୀ ନିଦ୍ରା ଭାଜିଲା      ଶଯ୍ୟାରୁ ଉଠି ବସିଲା

ସନ୍ନିଧେ ଦେଖିଲା ନଳ ରାଜନ ନାହିଁ ।

ଧଡ଼ସ ହୋଇ ଉଠିଲା      ମୂର୍ଚ୍ଛା ସେ ଯାଇ ପଡ଼ିଲା

ଅତି ଶୋକଭର ହୋଇ ବାଳୀ ଖୋଜଇ ।

ପୁଣି ସେହୁ ଉଠିଲା ରାମା

କେତେ ପରିହାସ କର ବୋଲଇ ବାମା ।।

 

ମଣ୍ଡୋପ ତଳକୁ ଯାଇ      ବୃକ୍ଷ ଉହାଡ଼େ ଖୋଜଇ

ମିଛେହେଁ ବୋଲଇ ତୋତେ ମୁହିଁ ଦେଖିଲି ।

ପୁଣି ଶୋକଭରେ ରହି      ବେଗେ ଦେଖା ଦିଅ ତୁହି

ନୋହିଲେ ମରିବି ମୁହିଁ ନିଶ୍ଚେ କହିଲି ।

ସେହି ରୂପେ ପହଡ଼େ ହୋଇ

ୟେମନ୍ତରେ ବାମା ବସ୍ତ୍ର ଦେଖି ପଢ଼ଇ ।।

 

ଲେଖିଛି ପୁରୁଷମଣି,      ଶୁଣ ରେ ପ୍ରାଣମିତଣି !

ମୋହୋ ଘେନି ଅତି କଷ୍ଟ ପାଇଲୁ ତୁହି ।

ମୋହର ଆୟତ ନାହିଁ      ତୋତେ ତ ଅଛଇ କହି

ବିଧାତା ବଶରେ ସଖି ! ୟେମନ୍ତ ହୋଇ ।

ତୁ ଏବେ ଏମନ୍ତ କରିବୁ

ପଥ ଅନୁସରି ପିତା ରାଜ୍ୟକୁ ଯିବୁ ।।

 

ବିଧାତା ଯେବେ କରିବ      ସୁଦଶା ଯେବେ ହୋଇବ

ପୁଣି ଅବା କାହିଁ ବିହି ଭେଟ କରିବ ।

କେତେ ଦିନ ଯାଏ ସହି !      ନିଜ ପିତା ପୁରେ ରହି

ପୁଣି କର୍ମାକର୍ମ ଫଳମାନ ଭୁଞ୍ଜିବ ।

ରାଜାଘରେ ଜନମ ହେଲୁ

ରାଜା ହାତ ଧରି ୟେତେ କଷ୍ଟ ପାଇଲୁ ।।

 

ଚିନ୍ତା ମନେ ନ କରିବୁ      ବାଳୁତ ବୃଦ୍ଧ ନୋହିବୁ

ଅମ୍ୱିକାକୁ ଚିନ୍ତା ୟେକା କରୁଣ ଥିବୁ ।

ସ୍ତିରୀଙ୍କ ଆୟତ୍ତ ସେହୁ      ନ ପାରନ୍ତି ସହି ଯହୁଁ

ୟେ ବିଚ୍ଛଦୁଁ ଜାଣିଥିବୁ ପାରି ହୋଇବୁ ।

ତୋହୋ ସଙ୍ଗ ଛାଡ଼ିଲି ମୁହିଁ

ସୁମନା ମନରେ ୟେକା ଥିବୁ ଚିତୋଇ ।।

 

ସଙ୍କେତ ତହୁଁ ପାଇଲା      ମୂର୍ଚ୍ଛା ସେ ଯାଇଁ ପଡ଼ିଲା

ଶୋକଭରେ ଉଚ୍ଚସ୍ୱରେ ରୋଦିଉଠିଲା ।

ଅରଣ୍ୟ ଭିତରେ ଯାଇ      ସିଂହ ଆଗରେ ଗଡ଼ଇ

ମତ୍ତହସ୍ତୀ ଆଗରେ ସେ ଯାଇ ପଡ଼ିଲା ।

ଶୋକ ତାର କେ ଅବା କହୁ ।

ଅତି ଗଭୀର ଜଳରେ ପଡ଼ଇ ସେହୁ ।।

 

ଦିନ ଦୁଇ ଚାରି ଗଲା      ଅଜଗରକୁ ଭେଟିଲା

ତାହାର ସମ୍ମୁଖେ ବାମା ପଡ଼ିଲା ଯାଇଁ

ଅଜ୍ଞାନେ ନ ଜାଣ କିଛି      ଦମନ୍ତୀକି ଗିଳୁଅଛି

ଉଚ୍ଚସ୍ୱରେ ନଳ ମୋତେ ରଖ ବୋଲଇ ।

କିରାତି ଯେ ଶୁଣି ଅଇଲା

ଅଜଗର ଗିଳୁଅଛି ଆସି ଦେଖିଲା ।।

 

ଫାରସା ଘେନି ଛେଦିଲା      ମନୁଷ୍ୟ ବାହାର କଲା

ଦେଖିଲାକ ଅତିଅନ୍ତ ସୁନ୍ଦରୀ ବାମା ।

ଲୋଭ କରିଣ କିରାତ      ବେଗେ ଧରିଲା ତା ହାତ

ଧର୍ମକୁ ସୁମରି କ୍ରୋଧେ ଚାହିଁଲା ରାମା ।

ଭସ୍ମ ହୋଇ କିରାତ ଗଲା

ପୁଣି ନଳ ସୁମରିଣ ରୋଦି ଉଠିଲା ।।

 

ତହୁଁ କିଛିଦୁର ଯାଇ      ଅରଣ୍ୟ ଭିତରେ ହୋଇ

ଦେଖିଲା ପୁଷ୍କରଣୀରେ ପଦ୍ମ ଫୁଟିଛି ।

ଉତ୍ତମ ସୁବାସ ନୀର      ତୃଷାରେ କଲା ଆହାର

ସେଠାବକୁ ମନୁଷ୍ୟଙ୍କ ଗୋଳ ଶୁଭୁଛି ।

ଚଳିଲା ସେ ରାଜକୁମାରୀ

ମନରେ ଅନବରତେ ନଳ ସୁମରି ।।

 

ତହୁଁ ଚଳି ଯାଉଥିଲା            ଖଣ୍ଡେକ ଦୂରେ ଦେଖିଲା

ବହୁତ ସେ ବଣିଜାରେ ଅଛନ୍ତି ରହି ।

ପାରୁଶେ ହୋଇଲା ଯାଇ      ବାରତା ତାଙ୍କୁ ପୁଚ୍ଛଇ

କେବଣ ଦେଶକୁ ତୁମ୍ଭେ ଯିବ ହୋ ଭାଇ ।

ଦେଖିଣ ଉପହାସ ସେ କଲେ

ଅରଣ୍ୟର ଦେବୀ ଏହୁ ବୋଲି ବୋଲାଇଲେ ।।

 

ଯେହୁ ଭଲ ଲୋକେ ଥିଲେ      ଦୁଷ୍ଟକୁ ନିବର୍ତ୍ତାଇଲେ

କହିଲେ ସୁବାହୁ ନାମେ ଏକ ରାଜନ ।

ଭଣ୍ଡାର ଆମ୍ଭଙ୍କୁ ଦେଇ      ବଣିଜକୁ ପଠିଆଇ

ଭାଗ ଲେଖିକରି ସେହୁ ଦିଅନ୍ତି ଧନ ।

ଆମ୍ଭେ ତାଙ୍କ ରାଜ୍ୟକୁ ଯିବୁ ।

ଆଜକ ଏହି ଠାବରେ ସୁସ୍ଥେ ରହିବୁ ।।

 

ଶୁଣି ଦମନ୍ତୀ ବୋଲଇ      ତୁମ୍ଭର ବୋଇଲେ ମୁହିଁ

ସେହି କଟକକୁ ତୁମ୍ଭ ସଙ୍ଗତେ ଯିବି ।

ଭଲ ଲୋକ ଦେଖି କରି      ମୋହର ସୁକୃତ ସାରି

ଯେଉଁ ଆଡ଼ତି ପାରିବି ସେବା କରିବି ।

ହେଉ ବୋଲି ସେହୁ ବୋଇଲେ

ରାତ୍ରକ ସେ ତାହାଙ୍କର ସଙ୍ଗେ ରହିଲେ ।।

 

ବିଧାତା ଆୟତ୍ତ ପୁଣ      ମହାନିଶି ଭାଗରେଣ

ମତ୍ତ ହସ୍ତି ଯୂଥ ପୁଷ୍କରିଣୀ ଅଇଲେ ।

ବହୁତ ଥାଟ ଦେଖିଲେ      ଅନେକ ଲୋକ ମାଇଲେ

ଯେ ଯାହାରେ ପ୍ରାଣ ଘେନି ପଳାଇ ଗଲେ ।

ଦମନ୍ତୀ ସେ ମନେ ଭାଳଇ

ମୋହ ରହିଲାକୁ ଏଥି ବିପତ୍ତି ହୋଇ ।।

 

ରାତ୍ର ଯେ ଶେଷ ହୋଇଲା      ପୂର୍ବେ ସୂର୍ଯ୍ୟ ପ୍ରକାଶିଲା

ସମସ୍ତେହିଁ ଏକଠୁଳ ହୋଇଲେ ।

ଯେତେ ଦ୍ରବ୍ୟମାନ ଥିଲା      ଯେ ଯାହାର ସେ ଘେନିଲା

ପଥ ଅନୁସରି ସେହୁ ରାଜ୍ୟକୁ ଗଲେ ।

ସେହି ସଙ୍ଗେ ଦମନ୍ତୀ ଯାଇ

କିଛିଦିନ କଟକରେ ପ୍ରବେଶ ହୋଇ ।।

 

ରାଜାକୁ ଭେଟି ସେମାନେ      ଗଲେ ଯେ ଯାହା ଭୁବନେ

କଟକ ଦାଣ୍ଡରେ ଦମୟନ୍ତୀ ରହିଲେ ।

କେବଣ ଠାବକୁ ଯିବି      କାହାର ଘରେ ରହିବି

ୟେମନ୍ତେ ବୋଲିଣ ମନେ ବିଚାର କଲେ ।

ୟେସନେକ ହୁରିଆ ଠୁଳ

ବାଈ ଯାଉଅଛି ବୋଲି କଲେ ସେ ଗୋଳ ।।

 

ପଛେ ହୁରିଆ ଗୋଡ଼ାଇ      କେ କେତେ ମାଡ଼ ମାରଇ

ବିଧାତା ନିଷ୍ଠୁର ପଣ କହିବି କେତେ ।

ଗୋଳ କରି ଦାଣ୍ଡେ ଯାଉ      ଜଗତୀ ଉପରେ ଚାହୁଁ

ରାଜମାତା ଦେଖିଲେ ତା ଦଇବକୃତେ ।

ଆଜ୍ଞା ଦେଲେ ଏକ ଦାସୀକି

ଏହାକୁ ଲୋ ହାଙ୍କି ଆଣ ମୋର କତିକି ।।

 

ବେଗ ହୋଇ ଦାସୀ ଯାଇ      ନବରୁ ବାହାର ହୋଇ

ଦମନ୍ତୀ ସନ୍ନିଧରେ ସେ ଯାଇ ହୋଇଲା ।

ହୁରିଆ ଘଉଡ଼ି ଦେଇ      ଦମନ୍ତୀ ଆଗରେ ହୋଇ

ରାଜମାତା ଡାକୁଛନ୍ତି ବୋଲି ବୋଇଲା

ଶୁଣି ତାର ସଙ୍ଗତେ ଗଲେ

ରାଜମାତାଙ୍କ ଛାମୁରେ ଦର୍ଶନ କଲେ ।।

 

ଆଜ୍ଞା ଦେଲେ ଠାକୁରାଣୀ      କାହୁ ତୁ ଅଇଲୁଁ ପୁଣି

କିସ କାର୍ଯ୍ୟେ ଏହୁ ଦାଣ୍ଡେ ଯାଉ ବୋଇଲେ ।

ଦମନ୍ତୀ ବୋଇଲେ ଶୁଣ      ଦୁଃଖୀ ମୁଁ ଅଟଇ ଜାଣ

ସେବା କରି ରହିବଇଁ ବୋଲି ବୋଇଲେ ।

କିସ ସେବା କରିବୁ ଜାଣି

ସଇନ୍ଧ୍ରୀର ସେବା ମୁହିଁ କରିବି ପୁଣି ।।

 

ଏହା ଶୁଣି ଠାକୁରାଣୀ      ସୁପ୍ରଭାର ହସ୍ତ ଆଣି

ବୋଇଲେ ତୋହର ସଖୀ ଦୁହିତା ମୋର ।

ଦୁହେଁ ଏକ ଠାବେ ଥିବ      ଏକ ଶର୍ଯ୍ୟାରେ ଶୋଇବ

ଆଝୁଁ ତୁମ୍ଭେ ଦୁହେଁ ମୋତେ ସମାନ ପର ।

ସେହିଦିନୁ ତହିଁ ରହିଲେ ।

ମନରେ ଦୁଃଖ ବାହାରେ ଦମ୍ଭ ଧରିଲେ ।।

 

ୟେମନ୍ତେ ବହୁତ ଦିନ      ଦମନ୍ତୀ ଥିଲେକ ପୁଣ

ୟେକଦିନେ ୟେସନେକ କଥା ହୋଇଲା ।

ଭୀମରାଜା ଦୂତମାନେ      ବୁଲୁଥାନ୍ତି ସର୍ବସ୍ଥାନେ

କେହୁଣି ଠାବରେ ଆଉ ଭେଟ ନୋହିଲା ।

ସୁଦେବ ସେ ବୋଲି ବ୍ରାହ୍ମଣ

ସୁବାହୁ କଟକେ ଆସି ପ୍ରବେଶ ପୁଣ ।।

 

ନଗ୍ରଯାକ ସେ ଖୋଜିଲା      କାହିଁ ଭେଟ ନ ପାଇଲା

ରାଜା ନବର ଭିତର ଦେଖିବା ପାଇଁ

ରାଜମାତାଙ୍କୁ ଭେଟିଲା      ଦାନ ଘେନିବାରେ ଗଲା

ନଗର ଭିତରେ ଯାଇ ପ୍ରବେଶ ହୋଇ

ଠାକୁରାଣୀ ସନ୍ତୋଷ ହୋଇ

ଦାନ ବିଧିମାନ ସେ ଯତନେ ଭିଆଇ ।।

 

ସ୍ନାହାନ ଶଉଚ ହୋଇ      ବିପ୍ରବରକୁ ଡକାଇ

ବୋଲନ୍ତି ହେ ବିପ୍ରବର ଘେନ ମୋ ଦାନ ।

ବହୁତ ହୋଇବ ପୁଣ୍ୟ      କୁଶଳ ଥିବେ ରାଜନ

ଧନ୍ୟ ହୋଇଥିବେ ଆମ୍ଭ ପରଜାମାନ ।

ଶୁଣି ଦ୍ୱିଜ ଦାନ ଘେନିଲେ

ଦାନଠାରେ ସେହୁ ଦମନ୍ତୀକି ଦେଖିଲେ ।୩୧।

 

ସୁଦେବ ଦୋଚିହ୍ନା କରି      ପୁଣ ପୁଣ ଅନୁସରି

ପଚାରିଲେ ମାୟେ କିସ ନାମ ତୁମ୍ଭର ।

ଦମନ୍ତୀ ତାକୁ ଚିହ୍ନିଲେ      ଶୋକଭରେଣ କାନ୍ଦିଲେ

ସୁଦେବ ଉଠିଣ ବେଗେ ଧରେ କ୍ରୋଡ଼ର ।

ଆଜ ବଡ଼ ଭାଗ୍ୟ ମୋହର

ବହୁତ ଖୋଜାଉଛନ୍ତି ମାୟେ ତୁମ୍ଭର ।।

 

ଏହା ଶୁଣି ଠାକୁରାଣୀ      ବିପ୍ରକୁ ପୁଚ୍ଛଇ ବାଣୀ

ଏହାକୁ ଜାଣ କି ବିପ୍ରବର ଗୋସାଇଁ ।

ସୁଦେବ ବୋଲଇ ପୁଣ      ଭୀମରାଜା ବୋଲି ଜାଣ

ତାହାଙ୍କ ଦୁହିତା ଦମୟନ୍ତୀ ଅଟଇ ।

ନଳରାଜା ପାଟମହିଷୀ

ଏହାକୁ ଖଟନ୍ତି ନିତି କୋଟିଏ ଦାସୀ ।।

 

ଠାକୁରାଣୀ ଆଜ୍ଞା କଲେ      ବ୍ରାହ୍ମଣଙ୍କୁ ପଚାରିଲେ

ୟେ ଯେବେ ଦମନ୍ତୀ ଏହା ସ୍ୱରୂପ କାହିଁ ।

ଦମନ୍ତୀକି ପାଶେ ଆଣି      ଦେଖିଲେ ଯେ ଠାକୁରାଣୀ

କପାଳେ ତିଳକ ଧାଡ଼ି ସାତ ଅଛଇ ।

କୋଳେ ଆଣି ବେଗେ ଧଇଲେ

ମୋହର ଭ୍ରାତା ଦୁହିତା ବୋଲି ବୋଇଲେ ।।

 

ସୁବାହୁ ରାଜାଙ୍କୁ ଯାଇ      ବେଗେ ଦାସୀଗଣେ କହି

ମାତୁଳ ଦୁହିତା ତୁମ୍ଭ ଭଗ୍ନୀ ଦମନ୍ତୀ ।

ଥିଲେ ନବର ଭିତରେ      କହିଦେଲେ ବିପ୍ରବରେ

ଠାକୁରାଣୀ ଚିହ୍ନିଲେ ସେ ନିଶ୍ଚେ ଅଟନ୍ତି ।

ଶୁଣି ରାୟେ ବେଗେ ଉଠିଲେ

ମାତାଙ୍କର ନବରେ ସେ ପ୍ରବେଶ ହୋଇଲେ ।।

 

ମାତାଙ୍କର ଶ୍ରୀପୟରେ      ପ୍ରଳମ୍ୱିତ ବେଗେ କରେ

ପଚାରିଲେ ଏହୁ କଥା କହ ବେଗେଣ ।

ସବୁ ଦେଖି ପରିମାଣି      ବୁଝାଇଲେ ଠାକୁରାଣୀ

ଶୁଣି ରାୟେ ଦମନ୍ତୀର ଧରେ ଚରଣ ।

ଉଠି ବିପ୍ରମୁଖକୁ ଚାହିଁ ।

ନମସ୍କାର କରି ବଡ଼ ବିନୟ ହୋଇ ।।

 

ସୁବାହୁ କହେ ବଚନ      ମୋହର ଭାଗ୍ୟ ୟେସନ

ଦମନ୍ତୀ ଆସିଣ ମୋର ପୁରରେ ଥିଲେ ।

ଆଜହୁଁ ମୋର ନବର      ପବିତ୍ର ହୋଇଲା ପୁର

ଅଧିକ ମୁଁ କିସ କହିବଇଁ ବୋଇଲେ ।

ଶୁଣି ବିପ୍ର ବେଗେ ଜଣାଇ ।

ଦମନ୍ତୀକି ପଠିଆଅ ବୋଲିଣ କହି ।।

 

ସୁବାହୁ କରି ବିଜୟେ      ଆସ୍ଥାନ ଉପରେ ହୋୟେ

ଶ୍ରୀପଲଙ୍କ ସେହୁ ବେଗେ ସଜ କରାଇ ।

ଚନ୍ଦ୍ର ସୂର୍ଯ୍ୟର ଓହାଡ଼ି      ବହୁତ ଚାମର ପଡ଼ି

ଭୋଡ଼ଙ୍ଗିଆମାନେ ତହିଁ ଜଗିଆ ଦେଇ ।

ରାଜବିଧି ଯେତେ ବେଭାର ।

ଚଲାଣ ପରୀକ୍ଷା ବଳ ଘେନି ସଙ୍ଗର ।।

 

ଭିତର ପୁରୁ ଦମନ୍ତୀ      ବିଜୟେ କରି ଆସନ୍ତି

ଶ୍ରୀପଲଙ୍କପରେ ଆସି ବିଜୟ କଲେ ।

ସୁବାହୁ ପାଛୋଟି ଯାଇ      ବହୁତ ଅକ୍ଷତ ଦେଇ

ନମସ୍କାର କରି ସେ ବାହୁଡ଼ି ଅଇଲେ ।

ପଥ ଅନୁସରି ସେ ଗଲେ

କିଛିଦିନେ କଟକରେ ପ୍ରବେଶ ହେଲେ ।।

 

କୁଣ୍ଡୀ ନଗ୍ରେ ଯେତେ ଲୋକ      ପାଇଥିଲେ ବଡ଼ ଶୋକ

ଦମନ୍ତୀ ବିଜୟ ଯହୁଁ କର୍ଣ୍ଣେ ଶୁଣିଲେ ।

ବହୁତ ହରଷ ହୋଇ      ଯେ ଯାହାର ବେଗେ ଧାଇଁ

ଚକ୍ଷୁ ପୂରୋଇଣ ସମସ୍ତେ ହିଁ ଦେଖିଲେ ।

ବେଗେ ଡଗରାଏ ଧାଇଁଲେ ।

ଆସ୍ଥାନ ତଳରେ ପାୟେ ପଡ଼ି ଶୋଇଲେ ।।

 

ଶୁଣିଲୁ କର୍ଣ୍ଣାଟେଶ୍ୱର      କୁଣ୍ଡୀ ନଗ୍ରର ଭିତର

ଦମନ୍ତୀ ବିଜୟେ କରି ଆସୁଅଛନ୍ତି ।

ସୁଦେବ ବୋଲି ବ୍ରାହ୍ମଣେ      ଯାଇଥିଲେ ଦୂତିପଣେ

ସୁବାହୁ କଟକୁଁ ସେହୁ ଘେନି ଆସନ୍ତି ।

ଶୁଣି ରାୟେ ହରଷ ହୋନ୍ତି ।

ଶ୍ରୀଅଙ୍ଗ ବଡ଼ ତଡ଼ାଉ ଯାଚି ଦିଅନ୍ତି ।।

 

ଭୀମରାଜା ଉଠି ବେଗେ      ପାତ୍ର ଅମନାତ୍ୟ ସଙ୍ଗେ

ପାଛୋଟି ଯାନ୍ତେଣ ସିଂହଦ୍ୱାରେ ଦେଖିଲେ ।

ଶ୍ରୀପଲଙ୍କୁ ଓହ୍ଲାଇଲେ      ଚରଣତଳେ ପଡ଼ିଲେ

ଦୁହିତାଙ୍କୁ ବେଗେ ରାଜା ତୋଳି ଧଇଲେ ।

ରାଜା ବଡ଼ ଉଲ୍ଲାସ ହୋଇ ।

ରୋମ ପୁଲକିତ ଚକ୍ଷୁ ଲୋତକ ବହି ।।

 

ଜନ୍ମ ଅନ୍ଧ ଯେହ୍ନେ ଥାଇ      ସେହିକ୍ଷଣି ଚକ୍ଷୁ ପାଇ

ଯେସନେ ଦରିଦ୍ରେ ଧନ ପ୍ରାପାତ ହୋଇ ।

ଅପୁତ୍ରକର ଯେସନ      ପୁତ୍ର ଜାତ ହେଲେ ମନ

ରାଜ୍ୟଭ୍ରଷ୍ଟ ରାଜା ତାର ରାଜ୍ୟକୁ ପାଇ ।

ଭୀମ ରାଜା ତେଡ଼େ ହରଷ ।

ସଙ୍ଗତେ ଦୁହିତା ଘେନି ପୁରେ ପ୍ରବେଶ ।।

 

ସିଂହାସନେ ବିଜେ କରି      ଦମନ୍ତୀକି କୋଳେ ଧରି

ନଳ ରାଜା କିସ କଲେ ବୋଲି ପଚାରି ।

ଦମନ୍ତୀ ବିନୟ ହୋଇ      ଛାମୁରେ ସବୁ ଜଣାଇ

ଚାର ବରଗିବାକୁ ସେ ବିଚାର କରି ।

ସେହିକ୍ଷଣି ବିପ୍ରେ ବହୁତ ।

ଅନେକ ସେ ଧନ ଦେଲେ ରାୟେ ତୁରିତ ।।

 

ଧାଈ ମୃଦୁସୁଲୀ ପୁଣି      ସୁତ ଦୁହିତାକୁ ଆଣି

ଏମନ୍ତ ସମୟେ ତାଙ୍କ କ୍ରୋଡ଼ରେ ଦେଲେ ।

ହରଷେ ଘେନି ଦମନ୍ତୀ      ପୁତ୍ରଙ୍କ ଶିର ଚୁମ୍ବନ୍ତି

ଭିତର ପୁରକୁ ବିଜୟ କଲେ ।

ମାତାଙ୍କର ଚରଣ ଧରି ।

ବଡ଼ ଶୋକ କଲେ ତହିଁ ନଳ ସୁମରି ।।

 

ମାୟେ ତୋଳି ଭୁଜେ ଧରି      କହନ୍ତି ସେ ବୋଧ କରି

ବିଧାତା ଏସନ ତୋତେ ଭିଆଇ ଥିଲା ।

ଏବେହେଁ କିସ ହୋଇବ      ନଳ କି ଶୁଭେ ଆସିବ

ତେବେହେଁ ବୋଲିବା ସିନା ଭଲ ହୋଇଲା ।

ମାୟେ ମୋର ଶୋକ ନ କର ।

ନିରନ୍ତରେ ମହାଦେବ ନାମ ସୁମର ।।

 

ଏହୁ ନଳର ଆଖ୍ୟାନ      ଶୁଣନ୍ତି ଯେବଣ ଜନ

ମହାଘୋର ବିପତ୍ତି ତାଙ୍କର ଫିଟଇ ।

କହେ ମାରକଣ୍ଡ ଋଷି      ରାମଙ୍କ ଅଗ୍ରତେ ବସି

ମଧୁସୂଦନ ୟେ ରସ ଗୀତେ ଗାଅଇ ।

ଚକ୍ରଧର ଦୁଃଖ ନାଶିବେ ।

ମନଚିନ୍ତା ସର୍ବ ଜଗନ୍ନାଥ ଫେଡ଼ିବେ ।।

 

ପଞ୍ଚମ ଛାନ୍ଦ

ଦିଶ ବରାଡ଼ି-(ଆଷାଢଶୁକ୍ଳ ବାଣୀ)

ଏବେ ଶୁଣିମା ଅତ୍ୟନ୍ତ ବିଚିତ୍ର

 

ରାମ ପଚାରନ୍ତି ନଳ ଚରିତ ।

।୧।

ବୋଇଲେ ଭୋ ଋଷି ନଳ କି କଲା ।

 

ଦମନ୍ତୀକି ଛାଡ଼ି କେଣିକି ଗଲା ।

।୨।

 

 

ତା କହ ଗୋସାଇଁ ।

 

ଅତି ରସକଥା ମୁହିଁ ଶୁଣଇ ।

।୩।

ଶୁଣ ଶ୍ରୀରାମ ମାରକଣ୍ଡ କହେ ।

 

ଦମନ୍ତୀ ଶୟନ ଶର୍ଯ୍ୟାରେ ରହେ ।

।୪।

 

 

ନଳ ତା ଛାଡ଼ି ଅରଣ୍ୟକୁ ଗଲା ।

 

ପଶ୍ଚିମ ମୂର୍ତ୍ତି ହୋଇ ବିଜେ କଲା ।

।୫।

ସେ କଳିର କୃତ୍ୟ

 

କେହୁଣି ନଳର ନୋନ୍ଦେ ଆୟତ୍ତ ।

।୬।

 

 

ଏମନ୍ତେ କେତେହେଁକ ଦିନ ଗଲା ।

 

ୟେକମୁଖ ହୋଇ ଯାଉଣ ଥିଲା ।

।୭।

ଅରଣ୍ୟରେ ଦାବାନଳ ଲାଗିଛି ।

 

ତଥିମଧ୍ୟରେ ଶବଦ ଶୁଭୁଛି ।

।୮।

ମତେ ରଖ ନଳ ।

 

ଶୁଣିଲେ ରାୟେ ତାହାର ବିକଳ ।

।୯।

ଶବଦକୁ ହେଜି ବିଜୟେ କଲେ ।

 

ଅଗ୍ନିର ଭିତରେ ଯାଇଁ ପଶିଲେ ।

।୧୦।

ଦେଖିଲେ ମହା ସର୍ପେକ ପଡ଼ିଛି ।

 

ପର୍ବତ ଶୃଙ୍ଗ ପରାୟେ ଦିଶୁଛି ।

।୧୧।

ତାଙ୍କୁ ପଚାରିଲେ ।

 

କିସ କଥା ତୋର କହ ବୋଇଲେ ।

।୧୨।

କହଇ ବଡ଼ ସେ ବିନୟ ହୋଇ ।

 

ସର୍ବକଥା ମୁଁ ପଛେ କହିବଇଁ ।

।୧୩।

ଅଗ୍ନି ଭୟରୁ ମୋତେ ରକ୍ଷା କର ।

 

ଏ ଦିନୁ ମୁହିଁ ଅଟଇ ତୁମ୍ଭର ।

।୧୪।

ତା ନଳ ଶୁଣିଲେ ।

 

ମୁଁ ତୋତେ କେମନ୍ତେ ନେବି ବୋଇଲେ ।

।୧୫।

ରାଜା ବଚନେ ମହାସର୍ପ କହି ।

 

ଆଜ୍ଞା ଦେଲେ ତୋର ହସ୍ତେ ସମ୍ଭାଇ ।

।୧୬।

 

 

ଶୁଣି ନଳ ସେ କର ପ୍ରସାରିଲେ ।

 

କ୍ଷୁଦ୍ର ସର୍ପେକ ହୋଇଣ ପଶିଲେ ।

।୧୭।

ସେ ହସ୍ତରେ ଲାଇଁ ।

 

ଅନଳ ଭିତରୁ ବାହାର ହୋଇ ।

।୧୮।

 

 

ସର୍ପରାୟେ ଯେ ପୁଣି ଆଜ୍ଞା ଦେଲେ ।

 

ଦଶ ପହଣ୍ଡ ତୁ ଗଣ ବୋଇଲେ ।

।୧୯।

ସେଠାରେ ଭୂମିରେ ଛାଡ଼ିବୁ ମୋତେ

 

ଉପକାର ମୁହିଁ କରିବି ତୋତେ ।

।୨୦।

 

 

ତା ଶୁଣି ରାଜନ ।

 

ପହଣ୍ଡ ଗଣି ସେ କଲେ ଗମନ ।

।୨୧।

ନଳ ବୋଇଲେ ଏବେ ହେଲା ଦଶ ।

 

କ୍ଷିତିରେ ଥୁଅନ୍ତେ ବରଷେ ବିଷ ।

।୨୨।

 

 

ଆପଣା ଅଙ୍ଗକୁ ନଳ ଚାହିଁଲେ ।

 

ବିଷ ଜାଳାରେ ବିରୂପ ଦିଶିଲେ ।

।୨୩।

ଅତି ଅସୁନ୍ଦର ।

 

ଚର୍ମ ଦିଶୁଅଛି ଯେହ୍ନେ ଅଙ୍ଗାର ।

।୨୪।

 

 

ନାସା ଦେଖିଲେ ବକ୍ର ହୋଇଗଲା ।

 

ଚକ୍ଷୁ ଶ୍ରୋଣିତ ପରାୟେ ଦିଶିଲା ।

।୨୫।

ମନରେ ବଡ଼ ବିଷାଦ ପାଇଲେ ।

 

କିପା ଏମନ୍ତ ତୁ କଲୁ ବୋଇଲେ ।

।୨୬।

 

 

ସତ୍ୟ କହ ମୋତେ ।

 

କଉଁ ଅପରାଧ କଲି ମୁଁ ତୋତେ ।

।୨୭।

ନାମ ତୁମର ଯେ କିସ ଅଟଇ ।

 

କଉଁ ଅପରାଧ ମୁହିଁ କଲଇଁ ।

।୨୮।

 

 

ଅମୋହ ଦଣ୍ଡ ବିହିଲୁ କିପାଁଇ ।

 

ସବୁ ତା ବୁଝାଇ କହ ଗୋସାଇଁ ।

।୨୯।

ମହାନାଗ କହି ।

 

କର୍କୋଟକ ମୋର ନାମ ଅଟଇ ।

।୩୦।

 

 

ଅଷ୍ଟକୁଳାଙ୍କର ମଧ୍ୟରେ ମୁହିଁ ।

 

ଦେବତାଙ୍କ ସଙ୍ଗେ ସ୍ୱର୍ଗରେ ଥାଇ ।

।୩୧।

ଋଷିଶାପେ ମୁଁ ଯେ ଚୂତ ହୋଇଲି ।

 

ଅନେକ ଦିନ ହୋଇଲା ରହିଲି ।

।୩୨।

 

 

 

 

ମୋକ୍ଷ ମାଗିଲଇଁ ।

 

ଋଷି ଆଜ୍ଞା ଦେଲେ ପ୍ରସନ୍ନ ହୋଇ ।

।୩୩।

ବହୁତ ଦିନ ସେହିଠାରେ ଥିବୁ ।

 

କ୍ଷୁଧା ତୃଷାରେ ତୁ କଷ୍ଟ ପାଇବୁ ।

।୩୪।

 

 

ପବନ ଆଉ ତୋତେ ନ ଲାଗିବ ।

 

ତପନ କିରଣ ବଡ଼ ହୋଇବ ।

।୩୫।

ମୋହର ବଚନ ।

 

ବିଧାତା ଆଉ ନ କରିବ ଆନ ।

।୩୬।

 

 

କଉଣସି କାଳେ ସତ୍ୟ ଯୁଗରେ ।

 

ବୀରସେନ ସେ ତପନ ବଂଶରେ ।

।୩୭।

ତାର ସୁତ ନଳରାଜା ଛୁଇଁଲେ ।

 

ଶାପରୁ ମୁକତ ହେବୁ ବୋଇଲେ ।

।୩୮।

 

 

ଶୁଣି ପଚାରିଲି ।

 

କେମନ୍ତେ ତାଙ୍କୁ ଭେଟିବି ବୋଇଲି ।

।୩୯।

ଋଷି ଆଜ୍ଞା ଦେଲେ ଶୁଣ ବଚନ ।

 

ଅରଣ୍ୟେ ଆସିବେ ନଳରାଜନ ।

।୪୦।

 

 

 

 

ବନପୋଡ଼ି ଯେତେବେଳେ ହୋଇବ ।

 

ନିଶ୍ଚୟ ନଳ ପ୍ରବେଶ ହୋଇବ ।

।୪୧।

ତୁ ହାଙ୍କିବୁ ତେବେ ।

 

ଶୁଣିବ ରାୟେ ବିଜୟେ କରିବେ ।

।୪୨।

 

 

ନଳ ଅଟନ୍ତି ବଡ଼ ଧର୍ମବନ୍ତ ।

 

ତାଙ୍କୁ ଛୁଅଁନ୍ତେ ହୋଇବୁ ମୂକତ ।

।୪୩।

ଦେବଲୋକରେ ଆସି ତୁ ବସିବୁ ।

 

ଯଥା ଅଧିକାରପଣ ପାଇବୁ ।

।୪୪।

 

 

ଏହା କହିଛନ୍ତି ।

 

ତୋତେ ଭେଟିଲି ହୋଇଲି ମୂକତି ।

।୪୫।

ଭୋ ମହାରାଜା ! ମୋର ବୋଲ ଶୁଣ ।

 

ତୁମ୍ଭଙ୍କୁ ବିପତ୍ତି ପଡ଼ିଛି ଜାଣ ।

।୪୬।

 

 

ଯେହୁ ସେ ତୋତେ ଏ ଦୁଃଖ ଦେଇଛି ।

 

ତାର ଉପରେ ବିଷ ବରଷୁଛି ।

।୪୭।

ସେ କହଇ ସିନା

 

ପାଇବ ସେହୁ ଯେତେକ ବେଦନା ।

।୪୮।

 

 

 

 

ସ୍ୱରୂପ ତୁମ୍ଭର ବିରୂପ କଲି ।

 

ବିପତ୍ତି ତୁମ୍ଭର ମୁହିଁ ଦେଖିଲି ।

।୪୯।

ଅରୂପ ହୋଇ କିଛିଦିନ ଥାଅ ।

 

ବିପତ୍ତି ଗଲେ ନିଜରୁପ ହୋଅ ।

।୫୦।

 

 

ଯେହୁ ବସ୍ତ୍ର ଦୁଇ

 

ନଖ ଭିତରେଣ ସବୁ ଲୁଚାଇ ।

।୫୧।

ୟେତେ ବୋଲି ପୀତପତନୀ ଦୁଇ ।

 

ନଖ ଭିତରେଣ ଯାଇ ସମ୍ଭାଇ ।

।୫୨।

 

 

କର୍କୋଟ ନାଗ ବୁଝାଇ କହିଲେ ।

 

ରୂପକୁ ତୋହର ଇଚ୍ଛା ହୋଇଲେ ।

।୫୩।

ୟେମନ୍ତ କରିବୁ ।

 

ଏକ ଅଙ୍ଗେ ଏକ ଶିରେ ବାନ୍ଧିବୁ ।

।୫୪।

 

 

ନଳ ଯେ ମନେ ଚିନ୍ତା କରୁଥିଲେ ।

 

ନାଗରଜାର ବଚନ ଶୁଣିଲେ ।

।୫୫।

ହରଷ ହୋଇ ପାୟେ ପଡ଼ି ଶୋଇ ।

 

କର୍କୋଟ ବଡ଼ ପରସନ୍ନ ହୋଇ ।

।୫୬।

 

 

 

 

ଆଜ୍ଞା ଦେଲେ ପୁଣ ।

 

ତୋ ନାମ ଯେହୁ କରିବ ସ୍ମରଣ ।

।୫୭।

ପ୍ରଚଣ୍ଡ ବିଷ ତାକୁ ନ ଲାଗିବ ।

 

ସର୍ପଘାତ ତାକୁ କେବେ ନୋହିବ ।

।୫୮।

 

 

ତୋହୋର ମୋହୋର ସମ୍ପାଦ ୟେହୁ

 

ଏକମନ ହୋଇ ଶୁଣିବ ଯେହୁ ।

।୫୯।

ୟେମନ୍ତ ହୋଇବ ।

 

ମୋହୋର ସମାନ କଷ୍ଟ ଫିଟିବ ।

।୬୦।

 

 

ଆଉ ଅଧିକ ବରମାନ ଦେଲେ ।

 

ସ୍ୱର୍ଗପୁରକୁ ସେ ବିଜୟେ କଲେ ।

।୬୧।

ନଳ ସେଠାରୁ କିଛିଦୂର ଗଲେ ।

 

ଅଯୋଧ୍ୟା ନଗରେ ପ୍ରବେଶ ହେଲେ ।

।୬୨।

 

 

କଟକ ଭିତରେ ।

 

ଯାଇଁ ସେ ହୋଇଲେ ସିଂହଦୁଆରେ ।

।୬୩।

ୠତୁପୂର୍ଣ୍ଣ ବୋଲି ତହିଁ ରାଜନ ।

 

ସୂର୍ଯ୍ୟବଂଶେ ସେ ମହା ବିଦ୍ୟମାନ ।

।୬୪।

 

 

 

 

ଧର୍ମ ପାଳଇ ବିଧିମତ କରି ।

 

ସତ୍ୱଗୁଣ ସେହୁ ଅଛି ଆବୋରି ।

।୬୫।

ବଡ଼ ଅବକାଶ ।

 

ଛତିଶ ନିଯୋଗ ଅଛନ୍ତି ପାଶ ।

।୬୬।

 

 

ଏହି ସମୟେ ନଗ୍ରର ଭିତରେ ।

 

ଯାଇ ହେଲେ ୠତୁପର୍ଣ୍ଣ ଛାମୁରେ ।

।୬୭।

ଆସ୍ଥାନ ଲୋକ ଦେଖି ପଚାରିଲେ ।

 

କେବଣ ସ୍ଥାନକୁ ଯିବ ବୋଇଲେ ।

।୬୮।

 

 

ବଚନ କହନ୍ତି ।

 

ନଳରାଜାର ସାରଥି ବୋଲନ୍ତି ।

।୬୯।

ତାହାଙ୍କର ମୁହିଁ ମିତ୍ର ଅଟଇ ।

 

ମୋର ତାଙ୍କର ଭିନ୍ନାଭିନ୍ନ ନାହିଁ ।

।୭୦।

 

 

ନଳକୁ ଯହୁଁ ବିପତ୍ତି ପଡ଼ିଲା ।

 

ତେଣୁ ବିଧାତା ଏତେସରି କଲା ।

।୭୧।

ତା ଶୁଣିଲେ ଯହୁ ।

 

ରାଜା ଛାମୁରେ ଜଣାଇଲେ ତହୁ ।

।୭୨।

 

 

 

 

ରହୁ ବୋଲିଣ ସେହୁ ଆଜ୍ଞା ଦେଲେ ।

 

କିସ ବରତନ ଦେବା ବୋଇଲେ ।

।୭୩।

କହିଲେ ବରଜନେ କାର୍ଯ୍ୟ ନାହିଁ ।

 

ହବିଷ ଭୋଜନ କରିବି ମୁହିଁ ।

।୭୪।

 

 

ଉଦରକୁ ମାନ ।

 

ଦିନକୁ ଦିନ ଦେବ ହେ ରାଜନ ।

।୭୫।

ଶୁଣି କରି ରାୟେ ହସି କହିଲେ ।

 

ଅସବାବ ଘରୁ ନେବ ବୋଇଲେ ।

।୭୬।

 

 

ଚାରିଗୋଟି ଅଶ୍ୱ ଦୁର୍ବଳ କରି ।

 

ଦଅଡ଼ ପରିଛା ତହୁଁ ଆବୋରି ।

।୭୭।

ଚାରୁଶାଳେ ରହି ।

 

ଅଶ୍ୱ ଚାରିଗୋଟି ପ୍ରତିପାଳଇ ।

।୭୮।

 

 

ଯେତେବେଳେ ଅଶ୍ୱ ପାଣିକି ନେଇ

 

ନଦୀର ଭିତରେ ସ୍ନାନ ବଢ଼ାଇ ।

।୭୯।

ସେହୁ ଠାବରେ ରନ୍ଧନ କରନ୍ତି ।

 

ମଣୋହି ସାରିଣ ତହୁ ଆସନ୍ତି ।

।୮୦।

 

 

 

 

ରାତ୍ରେ ନିଦ୍ରା ନାହିଁ ।

 

ଦମନ୍ତୀ କି କିଲା ବୋଲି ଭାଳଇ ।

।୮୧।

ଉଜାଗର ହୋଇ ନିତ୍ୟେ ବୋଲଇ ।

 

ଏକା ହୋଇ ସେହୁ କିସ କରଇ ।

।୮୨।

 

 

ପୁରୁଷ ଅରଣ୍ୟେ ଛାଡ଼ି ଯେ ଗଲା ।

 

ନାରୀ ତାହାର ଯେ କେମନ୍ତ କଲା ।

।୮୩।

ଶୁଣି ସଙ୍ଗ ଲୋକେ ।

 

ବାତୁଳ ବୋଲିଣ ବୋଲନ୍ତି ଥୋକେ ।

।୮୪।

 

 

ଚାରୁଶାଳେ ଯେତେ ଲୋକ ଶୁଅନ୍ତି ।

 

ସବୁଦିନେ ସେ ତାହାକୁ ବୋଲନ୍ତି ।

।୮୫।

କେହୁ ସେ କାହାକୁ ଛାଡ଼ି ଅଇଲା ।

 

ତୋହର ତହିଁକି କିସ ହୋଇଲା ।

।୮୬।

 

 

ନିଦ୍ରା ତୁ ନ ଯାଉ ।

 

ବାଇଙ୍କ ପରା କିମ୍ପା ହୋଉଥାଉ ।

।୮୭।

କାହାରି ବୋଲ ସେହୁ ନ ଶୁଣନ୍ତି ।

 

ସମସ୍ତେହେ ତୁନି ହୋଇ ରହନ୍ତି ।

।୮୮।

 

 

 

 

ବୋଲନ୍ତି ହୋ ନିଦ୍ରା ଯାଅ ଆମ୍ଭର ।

 

ଏମନ୍ତ ପ୍ରକୃତ ଅଟେ ତାହାର ।

।୮୯।

କିଛି ଦିନ ଗଲା ।

 

ନଳ ରାୟେ ବଡ଼ ଦୁଃଖ ପାଇଲା ।

।୯୦।

 

 

ଏମନ୍ତେ ଶୁଣିମାକ ଏକ ରସ ।

 

ଭୀମରାଜା ଚାର ହୋୟେ ପ୍ରବେଶ ।

।୯୧।

କଟକଯାକ ସବୁ ସେ ଖୋଜିଲା ।

 

କେହୁଣି ଠାବରେ ଭେଟ ନୋହିଲା ।

।୯୨।

 

 

ଶ୍ରୀ ନବରେ ଯାଇ ।

 

ଭିତରେ ସବୁ ସେ ବିପ୍ର ଖୋଜଇ ।

।୯୩।

ତହୁଁ ପୁଣ ସୂର୍ଯ୍ୟ ଅସ୍ତ ହୋଇଲା ।

 

ପୂର୍ଣ୍ଣାନନ୍ଦ ଯେ ଖୋଜି ନ ପାଇଲା ।

।୯୪।

 

 

ରାତ୍ରରେ ଚାରୁଶାଳାରେ ଶୋଇଲା ।

 

ନିଶାରେ ସେହୁ ସଙ୍କେତ ପାଇଲା ।

।୯୫।

ବ୍ରାହ୍ମଣ ପଚାରି ।

 

କିସ ବୋଲଇ ଏ ବୁଝି ନ ପାରି ।

।୯୬।

 

 

 

 

ପାରୁଶ ଲୋକ ବୋଲନ୍ତି ଗୋସାଇଁ ।

 

ସବୁଦିନେ ଏହିମତି ହୁଅଇ ।

।୯୭।

ବାଇ ବୋଲି ଆମ୍ଭେ ବୋଲୁଁ ଏହାକୁ ।

 

ପଚାରିଲେ ସେ ନ କହେ ଆମ୍ଭଙ୍କୁ ।

।୯୮।

 

 

ବ୍ରାହ୍ମଣ ହରଷ ।

 

ବିଧାତା ଅବା ମୋତେ ଦେଲା ଯଶ ।

।୯୯।

ଶୁଣିଲା ବେଳୁଁ ଉଜାଗର ହୋଇ ।

 

ହରଷ ହୋଇ ବ୍ରାହ୍ମଣ ବସଇ ।

।୧୦୦।

 

 

ସୂର୍ଯ୍ୟ ଉଦୟ ଆସି ଯହୁଁ ହେଲା ।

 

ବିପ୍ର ତାହାଙ୍କ ପାରୁଶେ ବସିଲା ।

।୧୦୧।

ନିରେଖି ଚାହିଁଲା ।

 

ବିରୂପ ଦେଖିଣ ନୁହେ ବୋଇଲା ।

।୧୦୨।

 

 

ଅଯୋଧ୍ୟା ନଗର ସବୁ ଖୋଜିଲା ।

 

ଆହୁରି ବହୁତ ରାଜ୍ୟେ ବୁଲିଲା ।

।୧୦୩।

ନେଉଟି କୁଣ୍ଡୀ ନଗ୍ରକୁ ଚଳିଲେ ।

 

ସମସ୍ତ ଚାର ପ୍ରବେଶ ହୋଇଲେ ।

।୧୦୪।

 

 

 

 

ରାଜାଙ୍କ ଛାମୁରେ ।

 

ଦର୍ଶନ କରି ଜଣାଇଲେ ଚାରେ ।

।୧୦୫।

ଶୁଣିମା କର୍ଣ୍ଣଟେଶ୍ୱର ଠାକୁର ।

 

ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ।

।୧୦୬।

 

 

ସର୍ବ ରାଜ୍ୟରେ ଆମ୍ଭେ ସଙ୍ଖୋଳିଲୁ ।

 

ନବର ପାଟଣା ସବୁ ବୁଲିଲୁଁ ।

।୧୦୭।

ନିର୍ଝରି ବନରୁ ।

 

ଯାଇ ନ ପାରି ଅଇଲୁ ଦୂରରୁ ।

।୧୦୮।

 

 

ଚିହ୍ନ ବର୍ଣ୍ଣ ଯେ କିଛି ନ ଦେଖିଲୁ ।

 

ବହୁଦ ବୁଲି ନେଉଟି ଅଇଲୁ ।

।୧୦୯।

ପୂର୍ଣ୍ଣାନନ୍ଦ ଅଯୋଧ୍ୟା ଯାଇଥିଲା ।

 

ସବୁଙ୍କରିଠାରୁ ଆଗେ ଅଇଲା ।

।୧୧୦।

 

 

ଛାମୁରେ ଜଣାଇ ।

 

ଏକ ଶଙ୍କୁନ ମୁହିଁ ଦେଖିଲଇଁ ।

।୧୧୧।

ଅନେକ ଦୁର ଯେ ମୁହିଁ ଖୋଜିଲି ।

 

ଅଯୋଧ୍ୟା ନଗ୍ରରେ ଯାଇ ହୋଇଲି ।

।୧୧୨।

 

 

 

 

ସାରଥି ସେ ୠତୁପର୍ଣ୍ଣ ରାଜାର ।

 

ରାତ୍ରକ ହୋଇଥାଇ ଉଜାଗର ।

।୧୧୩।

ସେଠାରେ ରହିଲି ।

 

ତାହାର ତହୁଁ ଏମନ୍ତ ଶୁଣିଲି ।

।୧୧୪।

 

 

ନିଶାରେ ସେହୁ ନିତ୍ୟେ ବୁଲୁଥାଇ ।

 

ପାରୁଶ ଲୋକଙ୍କୁ ପଚାରିଲଇଁ ।

।୧୧୫।

ସେହୁ ବୋଇଲେ ସ୍ୱଭାବ ଏହାର ।

 

ଅଇଲା ଦିନୁ ଏ ନିଶାଭାଗର ।

।୧୧୬।

 

 

ଏମନ୍ତ ହୁଅଇ ।

 

ପଚାରିଲେ ସେ କଥା ନ କହଇ ।

।୧୧୭।

ନିତି ଦିନରେ ଏମନ୍ତ ବୋଲଇ ।

 

ସେହୁ ସ୍ତୀରୀକି ଛାଡ଼ି ସେ ଆସଇ ।

।୧୧୮।

 

 

ୟେକା ହୋଇ ସେ ଅରଣ୍ୟେ କି କଲା ।

 

ମଣ୍ଡୋପଠାରୁ ସେ କେଣିକି ଗଲା ।

।୧୧୯।

ଏମନ୍ତ ଶୁଣିଲି ।

 

ପ୍ରଭାତ ହୁଅନ୍ତେ ପାଶେ ହୋଇଲି ।

୧୨୦ ।

 

 

 

 

ଦେଖିଲି ସେହୁ ବଡ଼ ଅସୁନ୍ଦର ।

 

ଚର୍ମ ଦିଶୁଅଛି ଯେହ୍ନେ ଅଙ୍ଗାର ।

।୧୨୧।

ନାସା ଯେ ତାହାର ବକ୍ର ହୋଇଛି ।

 

ଚକ୍ଷୁ ଶ୍ରୋଣିତ ପ୍ରାୟେକ ଦିଶୁଛି ।

।୧୨୨।

 

 

ଦେଖିଲି ଏସନ ।

 

ଜାଣିଲି ଏ ନୋହେ ନଳ ରାଜନ ।

।୧୨୩।

ନଳ ସଙ୍କେତ ତହୁଁ ସେ ନ ପାଇ ।

 

ରାଜା ମନେ ଯେ ମହାତାପ ପାଇ ।

।୧୨୪।

 

 

ମହାଦେବ ସେ ସୁମରଣା କଲେ ।

 

ନଳକୁ ମନେ ନିରାଶ ହୋଇଲେ ।

।୧୨୫।

ଦମନ୍ତୀକି ଯାଇ ।

 

ବାରତା କହ ରାଜା ଆଜ୍ଞା ଦେଇ ।

।୧୨୬।

 

 

ସବୁ ବ୍ରାହ୍ମଣ ସେ ଶିରୀ ନବର ।

 

ଯାଇ ହୋଇଲେ ଦମନ୍ତୀ ଛାମୁର ।

।୧୨୭।

ବାରତା ସବୁ ଚାରେ ଜଣାଇଲେ ।

 

ଶୁଣି ସେ ମେଲାଣି ସବୁଙ୍କୁ ଦେଲେ ।

।୧୨୮।

 

 

 

 

ବେଗ ହୋଇ ଯାଅ ।

 

ଅଯୋଧ୍ୟାପୁର ଦୂତ ଏକା ଥାଅ ।

।୧୨୯।

ବିପ୍ରଙ୍କୁ ପୁଣି କରି ନମସ୍କାର ।

 

ବିନୟୀ ହୋଇ କହନ୍ତି ଉତ୍ତର ।

।୧୩୦।

 

 

ଐବ୍ରତେ ସୁବର୍ଣ୍ଣ ଦେବଇଁ ମୁହିଁ ।

 

ଅଯୋଧ୍ୟା ନଗର ଯିବ ଗୋସାଇଁ ।

।୧୩୧।

ମିଛ ସେ କହିବ ।

 

ଭୀମ ରାଜାର ଲେଖା ବୋଲି ଦେବ ।

।୧୩୨।

 

 

ଅଯୋଧ୍ୟାନବର ଯେତେକ ଦୂର ।

 

ଯେତେ ଦିନେ ଯାଇ ହୋଇବ ଚାର ।

।୧୩୩।

ତହିଁକି ଦିନେ ଅଧିକ ଗଣିଲେ ।

 

ସ୍ୱୟମ୍ବର କଣ୍ଟ ସେ ଦିନ କଲେ ।

।୧୩୪।

 

 

ଲେଖ ଭାଷା ଲିହି ।

 

ଦମନ୍ତୀ ଦ୍ୱିତୀ ସ୍ୱୟମ୍ବର ହୋଇ ।

।୧୩୫।

ରୁପୁର୍ଣ୍ଣ ଯେବେ ବୋଲିବେ ତୁମ୍ଭଙ୍କୁ ।

 

ଏତେଦିନ ଲେଖା ଦେଲ ଆମ୍ଭଙ୍କୁ ।

।୧୩୬।

 

 

 

 

ଲେଖରେ କଣ୍ଟ କାଲି ସ୍ୱୟମ୍ବର ।

 

ବିଳମ୍ବ କିପାଇଁ କଲୁ ତୁ ଚାର ।

।୧୩୭।

ଏମନ୍ତ କହିବ ।

 

ଅସୁସ୍ଥ ପଥେ ହୋଇଲି ବୋଲିବ ।

।୧୩୮।

 

 

ପୂର୍ଣ୍ଣାନନ୍ଦକୁ ଦେଲେ ପଠିଆଇ ।

 

କପଟ କଥା କେହି ନ ଜାଣଇ ।

।୧୩୯।

ଦମନ୍ତୀ ପୀତା ନବରେ ରହିଲେ ।

 

ହରଗଉରୀ ଆରଧନା କଲେ ।

।୧୪୦।

 

 

ନଳରାଜା ପାଇଁ ।

 

ବିଚ୍ଛେଦ ଭେଟ କରାଅ ଗୋସାଇଁ ।

।୧୪୧।

ସୁଜ୍ଞଜନେ ଶୁଣ ନଳ ଚରିତ ।

 

ଯାହା ଶୁଣନ୍ତେ ହୋଇବ ପବିତ୍ର ।

।୧୪୨।

 

 

ଶ୍ରୀରାମ ଆଗେ ମାରକଣ୍ଡ କହେ ।

 

ଶୁଣନ୍ତେ ରାମ ବିପତ୍ତି ନ ରହେ ।

।୧୪୩।

ସୁଜ୍ଞଜନେ ଶୁଣ ।

 

ଶ୍ରୋତା ହୋଇଲେ ବହୁତ କାରଣ ।

।୧୪୪।

 

 

 

 

ବିପତ୍ତି ତାର ବଡ଼ ବେଗେ ଯାଇ ।

 

ଅକାଳ ମୃତ୍ୟୁ କେବେହେଁ ନୋହଇ ।

।୧୪୫।

ବହୁତ କୁଟୁମ୍ବ ବୃଦ୍ଧି ହୋଅଇ ।

 

ଧର୍ମରେ ବୁଦ୍ଧି ଅହର୍ନିଶି ଥାଇ ।

।୧୪୬।

 

 

ଠାକୁର ସୁମର ।

 

ବଡ଼ ମାୟାରୀ ପ୍ରଭୁ ଚକ୍ରଧର ।

।୧୪୭।

ବଇରିତ ପଣେ ଯେହୁ ଭଜନ୍ତି ।

 

ନିଶ୍ଚୟେ ସାୟଯ୍ୟ ମୁକ୍ତି ଲଭନ୍ତି ।

।୧୪୮।

 

 

ଗଜରାଜ ମୋକ୍ଷ ତିନି ଜନ୍ମରେ ।

 

ଗ୍ରାହା ବସିଲା ଯାଇଁ ସ୍ୱର୍ଗପୁରେ ।

।୧୪୯।

ସେହୁ ଚକ୍ରଧର ।

 

କିସ ପୁଣ୍ୟ ଯେ କଲାକ କୁମ୍ଭୀର ।

।୧୫୦।

 

 

ବୈଷ୍ଣବ ଗଣେଟି ଯେହୁ ଭଜଇ ।

 

ନିଶ୍ଚୟେ ପରମ ଗତି ସେ ପାଇ ।

।୧୫୧।

ପ୍ରହଲାଦ ଯେ କଲା ସୁମରଣ ।

 

ସ୍ତମ୍ଭରୁ ବାହାର ହେଲେ ଆପଣ ।

।୧୫୨।

 

 

 

 

ଭୃତ୍ୟ ଅପମାନ ।

 

ଡାକିଲେ ଟେକି ସେ ଥାନ୍ତି ଶ୍ରବଣ ।

।୧୫୩।

ଆରତେ ଗଜଇନ୍ଦ୍ର ଯେ ଡାକିଲା ।

 

ଦ୍ରୌପଦୀ ସଭାତଳେ ସୁମରିଲା ।

।୧୫୪।

 

 

କାହିଁ ଥାଇ ତା ଶୁଣିଲେ ଗୋସାଇଁ ।

 

ଭକ୍ତ ରକ୍ଷା ଯେଉଁ ପ୍ରକାରେ ହୋଇ ।

।୧୫୫।

ତାହା ତୁମ୍ଭେ କର ।

 

ମଧୁସୂଧନ ସେ ପାଦେ କିଙ୍କର ।

।୧୫୬।

 

ନଳଚରିତ

ଷଷ୍ଠ ଛାନ୍ଦ

ରାଗ-ନଳିନୀ ଗଉଡ଼ା (ମୁନିବର ବାଣୀରେ ଗାଇବ)

ରାମ ପଚାରନ୍ତି ପୁଣ

ମାରକଣ୍ଡ କହେ ଶୁଣ

ନଳ ସେ କଟକେ ଥିଲା

କେମନ୍ତେ କଲା ଏ

ଏକଦିନେ ୠତୁପନ୍ନ

ବାରୁଶାଳାକୁ ଗମନ

ବିଜୟେ ସେ ରାଜା କଲେ

ଅଶ୍ୱ ଦେଖିଲେ ଏ

 

 

 

 

ସମସ୍ତ ଅବଧାରିଲା

ନଳଖନ୍ଦାରେ ପଶିଲା

ଦେଖିଲା ସେ ଅଶ୍ୱ ଚାରି

ପ୍ରଶଂସା କରି ଏ

ଶ୍ରୀଅଙ୍ଗ ଲାଗି ପାଛୋଡ଼ି

ଆପଣେ ଦିଅନ୍ତି ଶାଢ଼ୀ

ରାଜା ସେ ଆସ ବୋଇଲେ

ହସ୍ତ ଧଇଲେ ଏ

 

 

 

 

ଶ୍ରୀବାରୁ ପାଶରେ ଯାଇ

ରାଜା ସମର୍ପଣ ଦେଇ

ଆଜ୍ଞାଦେଲେ ସେହୁ ରାଣ

ବେହେରା ପଣ ଏ

ସର୍ବ ବାହୁକଙ୍କୁ କହି

ଏହୁ ସେ ଯାହା ବୋଲଇ

ଆମ୍ଭର ବୋଇଲା ସେହୁ

ତୁମ୍ଭଙ୍କୁ ହୋଉ ଏ

 

 

 

 

ଯେତେକ ଅଶ୍ୱ ଆମ୍ଭର

ଚରଚା ସବୁ ଏହାର

ଆନ ଯେ ତାହା କରିବ

ଦଣ୍ଡ ପାଇବ ଏ

ଏତେ ଆଜ୍ଞା ଦେଇ ରାୟେ

ନବରେ କଲେ ବିଜେୟ

ସେ ଦିନୁଁ ନଳ ବଢ଼ିଲେ

ଚରଚା କଲେ ଏ

ଏମନ୍ତ ବହୁତ ଦିନ

ରହିଲେ ନଳରାଜନ

କେହୁ ତାହାଙ୍କୁ ନ ଜାଣି

ଥିଲେ ସେ ପୁଣି ଏ

ଅଯୋଧ୍ୟା ନବରେ ରାୟେ

ଆସ୍ଥାନେ କରି ବିଜୟେ

ସମସ୍ତେ ଛନ୍ତି ପାରୁଷେ

ଏକ ଦିବସେ ଏ

ମାୟା ଦୁତେକ ଅଇଲା

ଛାମୁରେ ଦର୍ଶନ କଲା

ନିମନ୍ତ୍ରଣ ଲେଖ ଦେଲା

ରାଜା ଶୁଣିଲା ଏ

ପୁନାନନ୍ଦ ମୁଖ ଚାହିଁ

ୠତୁପର୍ଣ୍ଣ ଆଜ୍ଞା ଦେଇ

କର୍ଣ୍ଣାଟ ଦେଶୁଁ ଅଇଲୁ

ବିଳମ୍ବ କଲୁ ଏ

ଭୀମ ରାଜା ପଠିଆଇ

ଦ୍ୱିତୀ ସ୍ୱୟମ୍ବର ପାଇଁ

ଦମନ୍ତୀ ବରିବେ ବର

ଇଚ୍ଛାୟେ ତାର ଏ

କାଲି ହେବ ସ୍ୱୟମ୍ବର

ଲିହି ଅଛନ୍ତି ଲେଖର

ତୁ ଆସି ଆଜ ହୋଇଲୁ

କାହିଁ ରହିଲୁ ଏ

ଭୟେଣ ଦୁତ ଜଣାଇ

ବହୁତ ଅସୁସ୍ଥ ହୋଇ

ଧର୍ମଣେ ଜୀଇ ଅଇଲି

ଆସି କହିଲି ଏ

ରାୟେ ଶୁଣି ଦୁଃଖ କଲେ

ବହୁତ ଚିନ୍ତା ପାଇଲେ

ବୋଇଲେ ଆଗୁଁ ଜାଣିଲେ

ଯାଆନ୍ତୁ ଭଲେ ଏ

 

 

 

 

ଛାମୁରେ ଯେ ଉଭା ହୋଇ

ବାହୁକମାନ ଅଛଇ

ନଳ ଯେ ମଧ୍ୟରେ ଥିଲେ

ସର୍ବ ଶୁଣିଲେ

ବହୁତ ମନ ବିରସ

ଚାରର ଶୁଣି ସନ୍ଦେଶ

ଯିବାକୁ ମନେ ବିଚାରି

ରାଜା ପଚାରି ଏ

 

 

 

 

ବାହୁକମାନେ ହୋ ଶୁଣ

କର୍ଣ୍ଣାଟ ଦେଶ ତ ଜାଣ

ରଥ କେ ପାରିବ ବାହି

ଦିନହି ନାହିଁ ହେ

ବାହୁକମାନେ ଜଣାଇ

ଅସମ୍ଭବ ଆଜ୍ଞା ଏହୋଇ

କୁଣ୍ଡୀକି ଅଯୋଧ୍ୟାପୁର

ବହୁତ ଦୁର ଏ

 

 

 

 

ସାତମାସ ଯେବେ ଯାଇ

କୁଣ୍ଡୀ ନଗ୍ରରେ ହୋଅଇ

ରଥ କେ ଦିନକେ ନେବ

କେହୁ ପାରିବ ଏ

ସାରଥିଙ୍କର ବଚନ

ଶୁଣିଲେ ସେହୁ ରାଜନ

ପ୍ରମାଣ କଥା ବୋଇଲେ

ତୁନି ହୋଇଲେ ଏ

 

 

 

 

ଏମନ୍ତେ ନଳ ଜଣାଇ

ଶୁଣ ସାବଧାନ ହୋଇ

କର୍ଣ୍ଣାଟ ଦେଶକୁ ବୋଲି

ନେମଇଁ କଲି ଏ

ଏକା ତୁ ବିଜେ କରିବୁ

କୁଣ୍ଡୀ ନଗ୍ରକୁ ତୁ ଯିବୁ

ରଥ ମୁଁ ଏକା ବାହିବି

ନେଇ କରିବି ଏ

 

 

 

 

ପ୍ରସନ୍ନ ଶୁଣି ହୋଇଲେ

ଧନ୍ୟ ତୁ ବୋଲି ବୋଇଲେ

କେତେକ ବେଳରେ ଯିବା

ବିଜେ କରିବା ଏ

ଆଜର ଦିବସ ଯାଉ

ଶୁଭେଣ ଯେ ରାତ୍ର ପାହୁ

କାଲିର ପ୍ରଭାତେ ରାୟେ

କର ବିଜୟେ ଏ

 

 

 

 

ଆସ୍ଥାନ ଭାଙ୍ଗି ଉଠିଲେ

ରାଜନୀତିରେ ରହିଲେ

ଶର୍ବରୀ ଶେଷ ହୋଇଲା

ପ୍ରାତ ହୋଇଲା ଏ

ପ୍ରଭାତୁଁ ଉଠି ରାଜନ

ହକରା କଲେ ବହନ

ଆଜ୍ଞା ସେହୁ ରାଜା ଦେଲେ

ଯିବା ବୋଇଲେ ଏ

 

 

 

 

ଜଣାଇ ପୁଣି ଛାମୁରେ

ବିଜେ କରିବା ରଥରେ

ୠତ୍ପର୍ଣ୍ଣ ବିଜୟ କଲେ

ନଳ ବସିଲେ ସେ

ବାଗଡ଼ୋର ସେ ଚାଳିଲେ

କର୍ଣ୍ଣରେ ମନ୍ତ୍ର କହିଲେ

ଉଠିଲେ ସେ ଅଶ୍ୱ ଚାରି

ପବନ ସରି ଏ

 

 

 

 

ବେଗେ ଚଳି ଯାଉଥିଲେ

ରାଜା ନେଉଟି ଚାହିଁଲେ

କନ୍ଧେ ଉତ୍ତରୀୟ ଥିଲା

ଖସି ପଡ଼ିଲା ଏ

ବାହୁକକୁ ଆଜ୍ଞା ଦେଲେ

ରଥ ରୁହାଅ ବୋଇଲେ

ଉତ୍ତରୀୟ ପଡ଼ିଗଲା

ଘେନି ବୋଇଲା ଏ

 

 

 

 

 

 

 

 

ସାରଥି କହେ ଛାମୁର

ରହିଲା ବହୁତ ଦୂର

ଏଠାରେ କିମ୍ପା ରହିବା

କାହିଁ ପାଇବା ଏ

ଶୁଣି ରାୟେ ଆଜ୍ଞା ଦେଲେ

ରୁହାଅ ରଥ ବୋଇଲେ

ଅଇଲୁଁ କେତେକ ଦୂର

ଜାଣିମା ତୋର ଏ

 

 

 

 

ରହୁବର ରୁହାଇଲେ

ସେହୁ ରାଜ୍ୟେ ପଚାରିଲେ

ଉତ୍ତରୀ ପଡ଼ିଲାଠାରେ

ହୋଇଲେ ଖରେ ସେ

ଉତ୍ତରୀ ତହୁଁ ଘେନିଲେ

ଯେଉଁଠାରୁ ବାହୁଡ଼ିଲେ

ଅଶୀ ଯେ ଯୁଣ ହୋଇଲା

ଲୋକ କହିଲା ଏ

 

 

 

 

ରାଜା ତହୁଁ ପଚାରିଲେ

ସାରଥି ଶୁଣ ବୋଇଲେ

ସତ ତ କହିବୁ ମୋତେ

ନିୟମ ତୋତେ ଏ

ଅଶ୍ୱହୃତ ବିଦ୍ୟା ତୁହି

ଅଛୁ ତୁ ସେ ପୁଣ ପାଇ

ନୋହିଲେ ଏତେକ ଖରେ

ହୋୟେ କାହାରେ ଏ

 

 

 

 

ସାରଥି ତାଙ୍କୁ କହିଲେ

ଜାଣଇଁ ମୁହିଁ ବୋଇଲେ

ୠତ୍ପର୍ଣ୍ଣ ଶୁଣି ହସିଲେ

ଆଜ୍ଞା ସେ ଦେଲେ ଏ

ଅଶ୍ୱହୃତ ବିଦ୍ୟା ମୁହିଁ

ବହୁତ ଦିନୁ ଜାଣଇଁ

ପାଲଟ ବିଦ୍ୟା କରିବା

ମିତ୍ର ହୋଇବା ଏ

 

 

 

 

 

 

 

 

ବାହୁକ ପୁଣି ପଚାରି

ସେହୁ ବିଦ୍ୟା କିସ କରି

ଆଜ୍ଞା ସେ ହୋଉ ରାଜନ

ଜାଣଇ ପୁଣ ଏ

କହନ୍ତି ତାଙ୍କୁ ରାଜନ

ଏହୁ ବିଦ୍ୟା ଯେ ଏସନ

କଳିଯୁଗ ବାଧା ନାହିଁ

ଜୁତେ ଜିଣଇ ଯେ

 

 

 

 

ପଶାରେ ଯେ ଦଶଦାନ

ଖେଳରେ ସେ ପଡ଼େ ଜାଣ

ଡାକିଲେ ଦାନ ପଡ଼ଇ

ଅବଜ୍ଞା ନୋହି ଏ

ଆରେକ କଥାଏ ଶୁଣ

କଉତୁକ ଏହୁ ଜାଣ

ବୃକ୍ଷେ ଯେତେ ପତ୍ର ଥାଇ

ତାହା ଜାଣଇ ଏ

 

 

 

 

ଶୁଣି ତା ନଲରାଜନ

ହରଷ ହୋଇଲେ ମନ

ପଶାରେ ଯେବେ ଜିଣଇ

ଘେନିବି ମୁହିଁ ଏ

ଏତେ ବିଚାର କହିଲେ

ବିଦ୍ୟା ସେ ଦିଅ ବୋଇଲେ

କେମନ୍ତ ସେହୁ ଅଟଇ

ତାହା ବୁଝଇ ଏ

 

 

 

 

ଏତେ ଶୁଣି ୠତୁପର୍ଣ୍ଣ

ଉପଦେଶ ଦେଲେ କର୍ଣ୍ଣ

ବିଦ୍ୟା ତୁ ପରୀକ୍ଷା କର

ଏହି ବୃକ୍ଷର ଏ

ନଳ ଯେ ଏହା ଶୁଣିଲେ

ବାହାଡ଼ା ବୃକ୍ଷ ଦେଖିଲେ

ଏକ ସେ ଡାଳକୁ ଚାହିଁ

ଅଦୃଶ୍ୟ ହୋଇ ଏ

 

 

 

 

 

 

 

 

ରଥରୁ ଓହ୍ଲାଇ ଯାଇ

ବୃକ୍ଷର ତଳରେ ହୋଇ

ପତ୍ର ସେ ମୂଳେ ଗଣିଲା

ସରି ହୋଇଲା ଏ

ସେହି ବୃକ୍ଷ ତଳେ ଥିଲା

ନଳ ପ୍ରତକ୍ଷେ ଦେଖିଲା

ଦେହରୁ ବାହାର ହୋଇ

ପୁରୁଷେ ଯାଇ ଏ

 

 

 

 

ନଳ ତା ଯହୁଁ ଦେଖିଲେ

ବେଗେଣ କେଶ ଧଇଲେ

ବଡ଼ ନିରାଶ ହୋଇଲା

ପ୍ରାସ ପାଇଲା ଏ

ବୋଲଇ ଛାଡ଼ ହେ ନଳ

ବିଷରେ ଯେଉଁ ଅନଳ

କର୍କୋଟ ତୋତେ ଦଂଶିଲା

ମୋତେ ହୋଇଲା ଏ

 

 

 

 

ତୋତେ ସେ ଯେ କହିଗଲା

ପଛେ ଜାଣିମୁ ବୋଇଲା

କହିଣ ତୁମ୍ଭଙ୍କୁ ଯିବ

କଷ୍ଟ ପାଇବ ଏ

ତୁମ୍ଭେ ତାହାଙ୍କ ବଚନ

ଘେନିଣ ଅଛଇ ମନ

ସେ ଦିନୁ ତାପ ପାଇଲି

ଏବେ କହିଲି ଏ

 

 

 

 

ଅଶ୍ୱହୃତ ବିଦ୍ୟା ଯହୁଁ

ଘେନିଲ ୠତ୍ପର୍ଣ୍ଣ ତହୁଁ

ତେଣୁ ମୁଁ ବେଗେ ବାହାର

ମୋତେ ନ ଧର ଏ

ନଳରାୟେ ତାହା ଶୁଣି

ତାକୁ ଯେ ବୋଲନ୍ତି ବାଣୀ

ଦେଲୁ ତୁ ଦୁଃଖ ଅପାର

ଶତ୍ରୁ ମୋହର ଏ

 

 

 

 

 

 

 

 

କିସ ଅଟଇ ତୋ ନାମ

ମୋତେ ଜଣାଅ ବହନ

କାଟିବି ଶିର ତୋହର

ପ୍ରମାଣ ମୋର ଏ

ଭୟ କରି ସେ କହଇ

କଳିଯୁଗ ମୁଁ ଅଟଇ

ଏତେକ ଦୁଃଖ ମୁଁ ଦେଲି

ସତ୍ୟ କହିଲି ଏ

 

 

 

 

ନଳ ଦମନ୍ତୀ ବିଚ୍ଛେଦ

ହୋଇଲା ଯେତେ ପ୍ରମାଦ

ମୁହିଁ ଯେ ଏସନ କଲି

ଦଣ୍ଡ ପାଇଲି ଏ

ବିଧାତା କହିଲା ମୋତେ

ଦୁଃଖ ଦେଲି ଅପ୍ରମିତେ

ତୁ ମୋତେ କରିବୁ କିସ

ଗଲି ମୁଁ ନାଶ ଯେ

 

 

 

 

ଛାଡ଼ି ଛାଡ଼ି ରାଜା ମୋତେ

ବର ମୁଁ ଦେଉଛି ତୋତେ

ଘେନ ମୋ ମନର ବାଞ୍ଛା

କର ତୁ ରକ୍ଷା ଏ

ଶୁଣିଣ ନଳ ରାଜନ

ହୋଇଲେ ତାକୁ ପ୍ରସନ୍ନ

ଛାଡ଼ିଲେ କେଶ ତାହାର

ଦେଲେ ଉତ୍ତର ଏ

 

 

 

 

ତୁମ୍ଭେ ଯାଅ ସ୍ୱର୍ଗପୁର

ମୁହିଁ ରାଜା ପୃଥିବୀର

କିସ ଅପରାଧ ମୁହିଁ

। ତୋତେ କଲଇଁ ଏ

କଳି ସମ୍ଭାଷ କହିଲା

ରାଜନ ଶୁଣ ବୋଇଲା

ଅପରାଧ ନାହିଁ ତୋର

ଦୋଷ ମୋହୋର ଏ

 

 

 

 

 

 

 

 

ଭୀମରାଜା କଟକର

ଦମନ୍ତୀର ସ୍ୱୟମ୍ବର

ସ୍ୱର୍ଗରେ ଆମ୍ଭେ ଶୁଣିଲୁଁ

ବେଗେ ଅଇଲୁଁ ଏ

ଆସନ୍ତେ ସ୍ୱର୍ଗ ପଥରେ

ଭେଟିଲାଇଁ ସୁନାସୀରେ

ବରୁଣ ଅଗ୍ନି କୁବେର

ଥିଲେ ସଙ୍ଗର ଏ

 

 

 

 

ସେଠାରେ ମୋତେ କହିଲେ

ଦମନ୍ତୀ ନଳ ବରିଲେ

ଆମ୍ଭେ ଯେ ଥିଲୁ ସଭାରେ

ବରଣଠାରେ ଏ

ତୋହୋର ଧାର୍ମିକ ପଣ

କହିଲେ ସେ ସର୍ବ ପୁଣ

ମୁହିଁ ତା ସର୍ବ ଶୁଣିଲି

ଗର୍ବ ବହିଲି ଏ

 

 

 

 

ବୋଇଲି ତୁମ୍ଭର ଥାଉଁ

ତୁମ୍ଭଙ୍କୁ ନ ବର ସେହୁ

ନଳକୁ କିମ୍ପା ବରିଲା

ଅନ୍ୟାୟ କଲା ଏ

ବିଚ୍ଛେଦ ତାକୁ କରିବି

ଦୁଃଖହିଁ ବହୁତ ଦେବି

ସଙ୍ଗରେ ଦ୍ୱାପର ଘେନି

ଅଇଲୁ ବେନି ଏ

 

 

 

 

ଇନ୍ଦ୍ର ମୋତେ ନାସ୍ତି କଲେ

ଆସିବା ଯହୁଁ ଦେଖିଲେ

ବୋଇଲେ ଦୁଃଖ ନ ଦେବୁ

କଷ୍ଟ ପାଇବୁ ଏ

ସେ ଦିନୁ ମୁହିଁ ଅଇଲି

ବହୁତ ଦିନ ଜଗିଲି

ଅନ୍ୟାୟେ ଯହୁଁ ଦେଖିଲି

ଦେହେ ପଶିଲି ଏ

 

 

 

 

 

 

 

 

ସେହି ଦିନୁ ତୋର ମନ

କଲଇଁ ମୁହି ଉଚ୍ଛନ୍ନ

ପୁଷ୍କର ହକରା କଲୁ

ପଶା ଖେଳିଲୁ ଏ

ଦ୍ୱାପର ସାର ହୋଇଲା

ସିଂହାସନ ତଳେ ଥିଲା

କପଟେ ଦାନ ପଡ଼ିଲା

ସେହୁ ଜିଣିଲା ଏ

 

 

 

 

ଯେତେ ବୋଲଇ ପୁଷ୍କର

ଆୟତ୍ତ ନୋହେ ତୋହୋର

ପଥରେ କପୋତ ହେଲା

ବସ୍ତ୍ର ଯେ ନେଲା ଏ

ଦାଣ୍ଡରେ ମଣ୍ଡୋପ ହୋଇ

ଖଣ୍ଡା ହୋଇ ସେ ପଡ଼ଇ

ଦ୍ୱାପର ସବୁ ହୋଇଲା

କଳି କହିଲା ଏ

 

 

 

 

ଶୁଣିଣ ଏହା ରାଜନ

ବିଜୟେ କଲେ ବହନ

ନଳ ବଚନ ଶୁଣିଲା

ବର ସେ ଦେଲା ଏ

ପ୍ରାତକାଳେ ନାମ ତୋର

ସୁମରିବେ ଯେଉଁ ନର

ମୋହୋର ବାଧା ନୋହିବ

ସୁଖୀ ହୋଇବ ଏ

 

 

 

 

ସମ୍ପାଦ ତୋର ମୋହୋର

ଶୁଣିମ ଯେହୁ କର୍ଣ୍ଣର

ପାତକ କ୍ଷୟ ହୋଇବ

ସୁଖ ପାଇବ ଏ

ନଳକୁ ବର ବହୁତ

ଦେଲେ ସେ କଳି ତୁରିତ

ଅନ୍ତର୍ଦ୍ଧାନ ସେ ହୋଇଲେ

ନଳ ଅଇଲେ ଏ

 

 

 

 

 

 

 

 

ବାହଡ଼ା ବୃକ୍ଷର ଛାଇ

ସେହିଦିନୁ ଯେ ମାଡ଼ଇ

କଳି ସେ ଯୁଗ ବାଧଇ

ପାତକୀ ହୋଇ ଏ

ବାହୁଡ଼ି ନଳ ଆସଇ

ରଥରେ ବିଜେ କରଇ

ସୁମନା ରାଜା ହୋଇଲା

ଉଚ୍ଛନ୍ନ ଗଲା ଏ

 

 

 

 

ୠତୁପର୍ଣ୍ଣ ଆଜ୍ଞା ଦେଲେ

ବେଗେଣ ଯିବା ବୋଇଲେ

ରଥ ସେ ପୁଣ ବାହିଲେ

ବେଗେ ଚଳିଲେ ଏ

ସମ୍ପୂର୍ଣ୍ଣ ବେଳ ପ୍ରହରେ

ହେଲେ କର୍ଣ୍ଣାଟ ଦେଶରେ

ପ୍ରବେଶ କୁଣ୍ଡୀ ନଗ୍ରରେ

ଯାନ୍ତି ଦାଣ୍ଡରେ ଏ

 

 

 

 

ନଳର ଏହୁ ଚରିତ

ଯେ ଶୁଣେ ହୋୟେ ପବିତ୍ର

ମହା ବିପତ୍ତିଫଟଇ

ପଣ୍ଡିତେ କହି ଏ

ଶ୍ରୀରାମ ଅରଣ୍ୟେ ଥିଲେ

ମାରକଣ୍ଡ ଶୁଣାଇଲେ

ରାବଣ ସେହୁ ଛେଦିଲେ

ସୀତା ଆଣିଲେ ଏ

 

 

 

 

ଶ୍ରୀ ଜଗନ୍ନାଥ ସୁମର

ନାରାୟଣ ଚକ୍ରଧର

ମୁକୁନ୍ଦ ବିଷ୍ଣୁ ବାମନ

ମଧୁସୂଧନ ଏ

ଅନନ୍ତ ବିଷ୍ଣୁ କେଶବ

ଶାରଙ୍ଗଧର ମାଧବ

ଗୋବିନ୍ଦ ଗୋପାଳ ରାମ

ଶ୍ରୀପତି ଶ୍ୟାମ ଏ

 

 

 

 

 

 

 

 

ନରହରି କୃପାସିନ୍ଧୁ

ବାସୁଦେବ ଦୀନବନ୍ଧୁ

ଭଗତଜନ ସୁମର

ପାତକୁଁ ତର ଏ

ଯୁଧିଷ୍ଠି ଦେବ ଚିନ୍ତିଲେ

ମୋକ୍ଷଗତି ସେ ପାଇଲେ

ଶ୍ରୀକୃଷ୍ଣ ଯେ ଦୟା କଲେ

ସ୍ୱର୍ଗକୁ ଗଲେ ଏ

 

 

 

 

ବଇଷ୍ଣବ ଯେ ବୋଲାନ୍ତି

ନାମ କୀର୍ତ୍ତନ କରନ୍ତି

ମଧୁସୂଧନ ତାଙ୍କର

ପାଦତଳର ଏ

 

ସପ୍ତମ ଛାନ୍ଦ

ରାଗ - ମଙ୍ଗଳ ଗୁଚ୍ଛରୀ

ବୋଲନ୍ତି ଯେ ମାରକଣ୍ଡ ଶୁଣ ରଘୁନାଥ ।

 

ଏକମନେ ଶୁଣ ନଳ ଦମନ୍ତୀ ଚରିତ ଯେ ।

।୧।

ୠତୁପର୍ଣ୍ଣ ରଥଘୋଷ ଶୁଭେ ଯେତେବେଳେ ।

 

ଦମନ୍ତୀ ମନରେ ବଡ଼ ଆନନ୍ଦ ହୋଇଲେ ।

।୨।

 

 

ମନେ ବିଚାରିଲେ ନିଶ୍ଚେ ନଳ ବିଜେ କଲେ ।

 

ସେହୁ ରଥଘୋଷ ଶୁଣି ସତ୍ୟ ବିଚାରିଲେ ଯେ ।

।୩।

ଏମନ୍ତେ ଡଗରାମାନେ ଦେଖି ୠତୁପର୍ଣ୍ଣ ।

 

ଧାଇ ଯାଇଁ ଜଣାଇଲେ ଭୀମ ଯେ ରାଜନ ଯେ ।

।୪।

 

 

ଦେଖିଲୁ ଭୋ ଦେବ ନଗ୍ର ଦାଣ୍ଡର ମଧ୍ୟର ।

 

ୠତୁପର୍ଣ୍ଣ ବୋଲି ରାଜା ଅଯୋଧ୍ୟା-ଈଶ୍ୱର ଯେ ।

।୫।

ଏକା ରଥକରେ ବିଜେ କରିଣ ଆସନ୍ତି ।

 

ଚତୁରଙ୍ଗ ବଳ ତାଙ୍କ ସଙ୍ଗରେ ନାହାନ୍ତି ଯେ ।

।୬।

 

 

ଦାଣ୍ଡର ମଧ୍ୟରେ ଆମ୍ଭେ ଦେଖିଣ ଆସିଲୁଁ ।

 

ତେଣୁ ଶ୍ରୀଚରଣତଳେ ଆସି ଜଣାଇଲୁଁ ଯେ ।

।୭।

ଏମନ୍ତେଣ ଦ୍ୱାରପାଳମାନେ ଜଣାଇଲେ ।

 

ସିଂହଦ୍ୱାରେ ରାଜା ୠତୁପର୍ଣ୍ଣ ବିଜେ କଲେ ଯେ ।

।୮।

ରାଜା ଆଜ୍ଞା ଦେଲେ ପାତ୍ରେ ଯାଅ ବେଗ ହୋଇ ।

 

ଦର୍ଶନ କରାଅ ତାଙ୍କୁ ପହଣ୍ଡ ମଣାଇ ଯେ ।

।୯।

ଉତ୍ତମ ମାନ୍ୟ କରିଣ ବିଜେ କରାଇବ ।

 

ଆସ୍ତାନକୁ ଶୀଘ୍ରେ ତାଙ୍କୁ ଘେନିଣ ଆସିବ ଯେ ।

।୧୦।

ଏତେ କହିକରି ପାତ୍ରମାନଙ୍କୁ ପଠାନ୍ତି ।

 

ପୁରୋହିତକୁ ଡକାଇ ରାଜା ଆଜ୍ଞାଦ୍ୟନ୍ତି ଯେ ।

।୧୧।

ଆମ୍ଭ ଆଜ୍ଞା ପରମାଣେ ଏହିକ୍ଷଣି ଯିବ ।

 

ରାଜବିଧି ସମ୍ମାନରେ ପୂଜା ଭିଆଇବ ଯେ ।

।୧୨।

ପୁରୋହିତ ପୂଜା ବିଧି ସର୍ବ ଭିଆଇଲେ ।

 

ରାଜା ଋତ୍ପର୍ଣ୍ଣଙ୍କୁ ଘେନି ପାତ୍ର ଯେ ଅଇଲେ ଯେ ।

।୧୩।

ଋତ୍ପର୍ଣ୍ଣ ଭେଟିଲେ ଆସି ଭୀମ ମହାରାଜା

 

ନମସ୍କାର କରି ତାଙ୍କୁ କଲେ ପାଦ ପୂଜା ଯେ ।

।୧୪।

ଭୀମ ରାଜା ଉଠି ତାଙ୍କୁ କୋଳ କରି ଧରି ।

 

ସିଂହାସନ ପରେ ରାଜ ବେନି ବିଜେ କରି ଯେ ।

।୧୫।

ପୁରୋହିତ ପୂଜାବିଧି ଘେନାଇ ମିଳିଲା ।

 

ବିଧିମତ କରି ତାଙ୍କୁ ବନ୍ଦାପନା କଲା ଯେ ।

।୧୬।

 

 

ଋତୁପର୍ଣ୍ଣ ପୂଜା ଘେନି ବସେ ସିଂହାସନ ।

 

ଭୀମରାଜା ବିନୟରେ କହନ୍ତି ବଚନ ଯେ ।

।୧୭।

କୁଣ୍ଡୀ ନଗ୍ର ଆଜୁ ମୋତ ପବିତ୍ର ହୋଇଲା ।

 

ଅଯୋଧ୍ୟା ଠାକୁର ମୋର ପୁରେ ବିଜେ କଲେ ଯେ ।

।୧୮।

 

 

ବହୁତ ସ୍ତୁତି କରିଣ ରାୟେ ପଚାରିଲେ ।

 

କି କାର୍ଯ୍ୟେ ଅଇଲ ଆଜ୍ଞା ହୋଉସି ବୋଇଲେ ଯେ ।

।୧୯।

ଋତୁପର୍ଣ୍ଣ ଜଣାଇ ବହୁତ ବିନୟରେ ।

 

ଅଇଲୁ ତୁମ୍ଭଙ୍କୁ ଦରଶନ କରିବାରେ ହେ ।

।୨୦।

 

 

ସ୍ୱୟମ୍ବର କଥା ଯହୁ ସତ୍ୟ ନ ଦେଖିଲେ ।

 

ଏମନ୍ତ ପ୍ରକାରେ ତହୁଁ ଋତ୍ପର୍ଣ୍ଣ କହିଲେ ଯେ ।

।୨୧।

ଭୀମ ରାଜା ଶୁଣି ବଡ଼ ହରଷ ହୋଇଲେ ।

 

ମଣୋହି ସଞ୍ଚା କରାଅ ବୋଲି ଆଜ୍ଞା ଦେଲେ ଯେ ।

।୨୨।

 

 

ଋତୁପର୍ଣ୍ଣ ଶୁଣି ରାଜା ଛାମୁରେ କହନ୍ତି ।

 

ବାହୁକ ସବୁ ଦିନରେ ସଂପାଗୀ ହୁଅନ୍ତି ଯେ ।

।୨୩।

ହବିଷ ଭୋଜନ ସବୁଦିନେ ଏ କରନ୍ତି ।

 

ଆପଣେ ରନ୍ଧନ କଲେ ତେବେ ସେ ଭୁଞ୍ଜନ୍ତି ଯେ ।

।୨୪।

 

 

ସଞ୍ଚା ଆଜ୍ଞା ହେଉ ସେ ରାନ୍ଧିବେ ଯେଉଁଠାରେ ।

 

ଶୁଚିବନ୍ତ ଜଣେ ଥିବ ତାଙ୍କ ଚରଚାରେ ଯେ ।

।୨୫।

ଶୁଣି ରାଜା ବିପ୍ର ଜଣେ ରାଇ ଆଜ୍ଞା ଦେଲେ ।

 

ବାହୁକ ଚରଚା ତୋତେ ଲାଗଇ ବୋଇଲେ ଯେ ।

।୨୬।

 

 

ପଶ୍ଚିମଦ୍ୱାର ନିକଟେ ଅଛି ଏକ ଘର ।

 

ନ୍ୟାୟବନ୍ତ କରି ରନ୍ଧାଇବ ସେହିଠାର ଯେ ।

।୨୭।

ଏତେ କହି ରାଜା ଭିତରକୁ ବିଜେ କଲେ ।

 

ଋତୁପର୍ଣ୍ଣ ମଣୋହି ବିଧାନ ସଜାଡ଼ିଲେ ଯେ ।

।୨୮।

 

 

ଏଥୁ ଅନନ୍ତରେ କଥା ଅପୂର୍ବ ହୋଇଲା ।

 

ଘୋଷ ଶୁଣି ଦମନ୍ତୀ ହରଷ ହୋଇଲା ।

।୨୯।

ଯେତେବେଳେ ଋତ୍ପର୍ଣ୍ଣ ଅଇଲା ବୋଲି ଶୁଣି ।

 

ଦୂତକଥା ଶୁଣିଣ ଆନନ୍ଦ ହୋୟେ ପୁଣି ଯେ ।

।୩୦।

 

 

ଲେଖରେ ତ କଣ୍ଟ ମୁଁ ଆଜକୁ ଦେଇଥିଲି ।

 

କାର୍ଯ୍ୟ ହୋଉ ନୋହୁ ଭଲ ଶଙ୍କୁନ ପାଇଲି ଯେ ।

।୩୧।

ଅଯୋଧ୍ୟା ନଗରୁ ରଥ ଏକା ଦିନକରେ ।

 

ଆଣିକେ ପାରିବ ନଳ ରାଜନ ବାହାରେ ଯେ ।

।୩୨।

 

 

 

 

ଏହି କଥାକୁ ସଂପ୍ରେତ ଯାଉଛି ମନରେ ।

 

ସଂଖୋଳିଲେ କେ କେ ଛନ୍ତି ରାଜା ସଙ୍ଗତରେ ଯେ ।

।୩୩।

ଶୁଣି ମୃଦୁସୁଲୀମାନେ ବେଗ ହୋଇ ଗଲେ ।

 

ରାଜାଙ୍କ ସଙ୍ଗତେ ଏକା ସାରଥି ଦେଖିଲେ ଯେ ।

।୩୪।

 

 

ମୃଦୁସୁଲୀମାନେ ଯାଇ ଲେଉଟି ଜଣାଇ ।

 

ରାଜନ ସାରଥି ବିନୁ ଆନ କେହି ନାହିଁ ଗୋ ।

।୩୫।

ଶୁଣିଣ ଦମନ୍ତୀ ବଡ଼ ବିସ୍ମୟ ହୋଇଲେ ।

 

ମନ ଉଦବେଗେ ପୁଣ ଦାସୀଙ୍କି କହିଲେ ଯେ ।

।୩୬।

 

 

ଋତ୍ପର୍ଣ୍ଣ ରାଜାଙ୍କୁ ମୋର ପିତା ତ ଚିହ୍ନିଲେ ।

 

ସାରଥି ହୋଇବ ନଳ ମନରେ ପାଞ୍ଚିଲେ ଯେ ।

।୩୭।

ଶୁଣି ଦାସୀଗଣ ବେଗେ ଛାମୁରେ ଜଣାନ୍ତି ।

 

ବଡ଼ ଅସୁନ୍ଦର ସେହୁ ସାରଥି ଅଟନ୍ତି ଗୋ ।

।୩୮।

 

 

ଦମନ୍ତୀ ମନରେ ପୁଣ ବିଚାର କରଇ ।

 

ଚାର କହିବାର ଅବା ସାରଥି ନୁହଇ ଯେ ।

।୩୯।

କେ ଆସି ଅଛଇ ତାକୁ ଦେଖିଲେ ଜାଣିବା ।

 

ନଳରାଜା ଗୋପ୍ୟରୂପ ଧରିଥିବେ ଅବା ଗୋ ।

।୪୦।

 

 

 

 

ଏତେକ ବିଚାରି ଦାସୀମାନଙ୍କୁ କହିଲେ ।

 

ସାରଥି କାହିଁ ଅଛଇ ଦେଖେ ତ ବୋଇଲେ ଗୋ ।

।୪୧।

ଶୁଣି ଦମନ୍ତୀ ଛାମୁରେ କହେ ଏକ ଦାସୀ ।

 

ପଶ୍ଚିମ ଦ୍ୱାର ନିକଟ ଅଛି ସେହୁ ବସି ଗୋ ।

।୪୨।

 

 

ରାଜା ଆଜ୍ଞା ଦେଇଛନ୍ତି ରନ୍ଧନ କରିବେ ।

 

ବ୍ରାହ୍ମଣ ବରଗିଛନ୍ତି ସଞ୍ଚା ତାକୁ ଦେବେ ଗୋ ।

।୪୩।

ଦମନ୍ତୀ ଶୁଣିଣ ବ୍ରାହ୍ମଣକୁ ହକାରିଲେ ।

 

ବିପ୍ର ତୁ ଆମ୍ଭର ବୋଲ କରିବୁ ବୋଇଲେ ଯେ ।

।୪୪।

 

 

ପ୍ରଭାକର ଦମନ୍ତୀକି କହଇ ବିନୋଇ ।

 

ଯାହା ଆଜ୍ଞା ଦେବ ତାହା କରିବଇଁ ମୁହିଁ ଗୋ ।

।୪୫।

ପିତା ଆଜ୍ଞା ଦେଇଛନ୍ତି ସଞ୍ଚା ଦେବାପାଇଁ ।

 

ଉତ୍ତମ ବିଧିରେ ସଞ୍ଚା ଦେବଟି ଗୋସାଇଁ ହେ ।

।୪୬।

 

 

ଉତ୍ତମ ତଣ୍ଡୁଳ ଦେବ ପରିବା ସହିତେ ।

 

ଘୃତ ଦଧି ଦୁଧ ଆଦି ଦେଇଛନ୍ତି ଯେତେ ଯେ ।

।୪୭।

ନୂଆ ହାଣ୍ଡି ଆଦି କରି ସବୁ ଦେବ ନେଇ ।

 

କାଠ ପାଣି ନିଆ ଚଟୁ ନ ଦେବ ଗୋସାଇଁ ହେ ।

।୪୮।

 

 

 

 

ଜାଳିବାକୁ କଞ୍ଚାଳିଆ କାଠ ନେଇ ଦେବ ।

 

ପାଣିକି ତୁଚ୍ଛା ଗରିଆ ନେଇଣ ଥୋଇବ ହେ ।

।୪୯।

ଆମ୍ଭ ବୋଲ ଏତେକ କରିବ ବିପ୍ରବର ।

 

କି କରନ୍ତି ଦେଖି ତା କହିବ ମୋ ଆଗର ହେ ।

।୫୦।

 

 

ତହୁଁ ପ୍ରଭାକର ଯେ ବେଗେଣ ଚଳିଗଲା ।

 

ସାରଥି ଠାବରେ ଯାଇଁ ପ୍ରବେଶ ହୋଇଲା ଯେ ।

।୫୧।

ଦମନ୍ତୀ ବଚନେ ସେହିମତେ ସଞ୍ଚା ଦେଇ ।

 

ରନ୍ଧନ କର ବାହୁକ ବୋଲିଣ ବୋଲଇ ଯେ ।

।୫୨।

 

 

ସାରଥି ଉଠିଣ ସେଠାବକୁ ଚଳିଗଲେ ।

 

ସକଳ ଦ୍ରବ୍ୟ ବ୍ରାହ୍ମଣ ନେଇ ସମର୍ପିଲେ ଯେ ।

।୫୩।

ସଞ୍ଚା ଦେଖି ନୟନରେ ବିଚାରି ସାରଥି ।

 

ପରୀକ୍ଷା ନିମନ୍ତେ କୂଟ କରିଛି ଦମନ୍ତୀ ହେ ।

।୫୪।

 

 

ତୁଚ୍ଛା ଗରିଆରେ ନେଇ ହାତ ଲଗାଇଲେ ।

 

ଜଳ ସେ ପୂର୍ଣ୍ଣ ହୋଇଲା ସ୍ନାହାନ ସାରିଲେ ହେ ।

।୫୫।

ପୁଣ ଆର ଗରିଆରେ ଭାତୁଆଣି ଦେଇ ।

 

କଞ୍ଚାଳିଆ କାଠ ନେଇ ଚୁଲିକି ଫିଙ୍ଗଇ ଯେ ।

।୫୬।

 

 

 

 

ଯେତେବେଳେ ଚୁଲିର ଭିତରେ ସେ ପଡ଼ଇ ।

 

ଅତି ଦୁରୁ ଦୁରୁ ହୋଇ ଜଳିଣ ଉଠଇ ଯେ ।

।୫୭।

ସକଳ ପରିବା ଏକଠାବେ ସିଝାଇଲେ ।

 

ନଳ ବିଧି ରାନ୍ଧଣାରେ ସଂପାକ ସେ କଲେ ଯେ ।

।୫୮।

 

 

ଯତ୍ନ ହୋଇ ଯେତେବେଳେ ସିଝିଲା ଭାଣ୍ଡରେ ।

 

ଚଳାଇଣ ଦେଲେ ସେହୁ ଆପଣା ହସ୍ତରେ ଯେ ।

।୫୯।

ଏହା ଦେଖି ବିପ୍ରବର ଆଶ୍ଚର୍ଯ୍ୟ ହୋଇଲା ।

 

ଦମନ୍ତୀ ଛାମୁରେ ସବୁ ଜଣାଇ କହିଲା ଯେ ।

।୬୦।

 

 

ଶୁଣ ମାୟେ ମୋହର ଗୋ ନଳ ପାଟରାଣୀ ।

 

ଆଶ୍ଚର୍ଯ୍ୟ ହୋଇଲି ମୁଁ ବାହୁକ କଥା ଶୁଣି ଗୋ ।

।୬୧।

ତୁମ୍ଭର ଆଜ୍ଞାରେ ସେହିମତି ସଞ୍ଚା ଦେଲି ।

 

ଅସମ୍ଭବ କଥା ତାର ନୟନେ ଦେଖିଲି ଗୋ ।

।୬୨।

 

 

ଅଗ୍ନି ନାହିଁ ପାଣି ନାହିଁ କଞ୍ଚାଳିଆ ଜାଳ ।

 

ପରିବା ଚଳାଇ ଦେଲା ଆପଣା ହସ୍ତର ଗୋ ।

।୬୩।

ଶୁଣି ଧାଈମାନଙ୍କୁ ସେ ବେବେ ଆଜ୍ଞା ଦେଲେ ।

 

ପୁତ୍ର ଦୁହିତା ସେଠାକୁ ନିଅସି ବୋଇଲେ ଯେ ।

।୬୪।

 

 

 

 

କାଖ ଜରି ଛାମୁରେଣ ଉଭା ହୋଇଥିବ ।

 

ବ୍ୟଞ୍ଜନ ହୋଇଲେ ଏ ଦୁହିଙ୍କି କନ୍ଦାଇବ ଗୋ ।

।୬୫।

ପଚାରିବେ ଯେବେ ସେହୁ କାନ୍ଦନ୍ତି କିପାଇଁ ।

 

ବୋଲିବ ବ୍ୟଞ୍ଜନ ମାଗୁଛନ୍ତି ବାଳପୋଇ ଯେ ।

।୬୬।

 

 

ଏହା ଶୁଣି ବ୍ୟଞ୍ଜନ ସେ ଦେଲେଣ ଘେନିବ ।

 

ମୋହର ଛାମୁକୁ ବେଗେ ଘେନାଇ ଆସିବ ଯେ ।

।୬୭।

ଏହା ଶୁଣି ଧାଈ ପୁତ୍ର ଦୁହିତାକୁ ନେଲେ ।

 

ନଳ ରାନ୍ଧଣା ଠାବରେ ପ୍ରବେଶ ହୋଇଲେ ଯେ ।

।୬୮।

 

 

ଦେଖି ନଳରାୟେ ମନେ ଦୁଃଖିତ ହୋଇଲେ ।

 

କାହାର ପୁତ୍ର ଦୁହିତା ବୋଲି ପଚାରିଲେ ଯେ ।

।୬୯।

ଧାଈମାନେ ବାହୁକ ବିନୟରେ କହନ୍ତି ।

 

ନଳ ରାଜାଙ୍କର ସୁତ ଦୁହିତା ଅଟନ୍ତି ଯେ ।

।୭୦।

 

 

ଦମୟନ୍ତୀ ଏହାଙ୍କର ମାତା ବୋଲି ଜାଣ ।

 

ପିତା ଅରଣ୍ୟରେ ଗଲେ ତାହାଙ୍କୁ ଛାଡ଼ିଣ ଯେ ।

।୭୧।

ଶୁଣିଣ ବାହୁକ ବହୁ ଶୋକଭର ହୋଇ ।

 

ନୟନୁ ଲୋତକ ବହେ ବଚନ ନ ଦେଇ ଯେ ।

।୭୨।

 

 

 

 

ପରିବା ସିଝିଲା ଜାଣି ଓହ୍ଲାଇ ରଖିଲେ ।

 

ଧାଈମାନେ ସେକ୍ଷଣେ ପିଲାଙ୍କୁ କନ୍ଦାଇଲେ ଯେ ।

।୭୩।

ପୁତ୍ର ଦୁହିତାଙ୍କର ସେ ଦେଖିଣ ରୋଦନ ।

 

କିପାଇଁ କାନ୍ଦନ୍ତି ବୋଲି ପଚାରେ ରାଜନ ଯେ ।

।୭୪।

 

 

ତାହା ଶୁଣି ଧାଈମାନେ ତାହାଙ୍କୁ କହନ୍ତି ।

 

ତିଉଣ ଦେଖିଣ ଏହୁ ରୋଦନ କରନ୍ତି ଯେ ।

।୭୫।

ଠାବ ଆଣ ବୋଲି ରାୟେ ଧାଈଙ୍କି କହିଲେ ।

 

ସୁବର୍ଣ୍ଣ ତାଟିଆ ମୃଦୁସୁଲୀ ଆଣି ଦେଲେ ଯେ ।

।୭୬।

 

 

କନକ ପାତ୍ରରେ ସେହୁ ବ୍ୟଞ୍ଜନ ପୁରୋଇ ।

 

ସଂଯାତି ଲୋକ ଗୋଟିକ ହସ୍ତରେ ଘେନାଇ ଯେ ।

।୭୭।

ଦମନ୍ତୀ ଛାମୁରେ ସେହୁ ବେଗେ ନେଇ ଦେଲେ ।

 

ଆଘ୍ରାଣ କରିଣ ବାଳୀ ସୁଆଦ ବୁଝିଲେ ଯେ ।

।୭୮।

 

 

ନିଶ୍ଚୟ ନଳ ରାଜନ ବୋଲି ସେ ଜାଣିଲେ ।

 

କପଟେ ବିରୂପ ଧରିଅଛନ୍ତି ବୋଇଲେ ଯେ ।

।୭୯।

ନଳ ପାକଶାଳ କରିଛନ୍ତି ଯେଉଁଠାରେ ।

 

ଟେରା ବାଡ଼ ପକାଇଲେ ବହନ ସେଠାରେ ଯେ ।

।୮୦।

 

 

 

 

ଟେରା ପାଖେ ଦମନ୍ତୀ ବିଜୟ କଲେ ଯାଇଁ ।

 

ନିଜ ରୂପ ନ ଦେଖି ସଂଶୟ-ମନ ହୋଇ ଯେ ।

।୮୧।

ଟେରା ବାଡ଼ ଅନ୍ତେ ଦମୟନ୍ତୀ କହେ ବାଣୀ ।

 

ନିଷ୍ଠୁର ପୁରୁଷମାନେ ଛାଡ଼ନ୍ତି ତରୁଣୀ ଯେ ।

।୮୨।

 

 

ଅରଣ୍ୟ ଭିତରେ ଏକା କରି ଛାଡ଼ିଗଲେ ।

 

ସେ ମହାପୁରୁଷ ଏଡ଼େ ନିଷ୍ଠୁର ହୋଇଲେ ଯେ ।

।୮୩।

ଏକ ପତ୍ନୀ ବ୍ରତ ସେହୁ କରିଣ ଯେ ଥିଲେ ।

 

ତେଡ଼େ ସତ୍ୟବନ୍ତ ଲୋକ ଅନୀତିକି ଗଲେ ଯେ ।

।୮୪।

 

 

ଯେଉଁ ରୂପକୁ ସମାନ ଅନଙ୍ଗ ନୋହଇ ।

 

ଏଡ଼େ ଅସୁନ୍ଦର ସେହୁ ହୋଇଲେ କିପାଇଁ ଯେ ।

।୮୫।

ଶୁଣିଣ ନଳ ରାଜନ ବଚନ କହିଲେ ।

 

ବିପତ୍ତିରେ ଧୈର୍ଯ୍ୟ ଧରି ରହି ନ ପାରିଲେ ଯେ ।

।୮୬।

 

 

ସେହୁ ପୁରୁଷର ଯବେ ଆୟତ୍ତ ଥାଆନ୍ତା ।

 

ଏକା କରି ସେ ସ୍ତିରୀକୁ କିମ୍ପା ଛାଡ଼ିଯାନ୍ତା ଯେ ।

।୮୭।

ଦେବତାନ୍ତ ନ ବରିଣ ବରିଲା ତାହାକୁ ।

 

କଳି ବିଡ଼ମ୍ବଣ ଦୁଃଖ କହିବା କାହାକୁ ଯେ ।

।୮୮।

 

 

 

 

ଏକପତ୍ନୀବ୍ରତ ସେହୁ ପୁରୁଷ ଯେ କଲା ।

 

ସ୍ତିରୀ ତାର ଏକ ପତିବ୍ରତ ଆଚରିଲା ଯେ ।

।୮୯।

କଳିଯୁଗ ତାର ଦେହେ ପଶିଲାକ ଯହୁଁ ।

 

ରାଜ୍ୟଭାର ହାରିଣ ଅରଣ୍ୟେ ଗଲେ ସେହୁ ଯେ ।

।୯୦।

 

 

ସେହୁ ପୁରୁଷର ଯେବେ ଆୟତ୍ତ ହୋଅନ୍ତା ।

 

ପୃଷ୍ଠର ସଙ୍ଗତେ କିମ୍ପା ସମସ୍ତ ହାରନ୍ତା ଯେ ।

।୯୧।

ଦଇବର ବଶେ ଯେବେ ଛାଡ଼ି ପଳାଇଲା ।

 

ସେହୁ ସ୍ତିରୀ କିସ ଅବା ଭଲ ବୁଦ୍ଧି କଲା ଯେ ।

।୯୨।

 

 

ପିତା ପୁରେ ଆସି ଯେବେ ପ୍ରବେଶ ହୋଇଲା ।

 

ତାହାର ବିପତ୍ତି ସେହି ଦିନୁ ପାର ଗଲା ଯେ ।

।୯୩।

ଦୁଃଖେ ସୁଖେ ଦିନ ନେଉଥାନ୍ତା ପିତା ପୁରେ ।

 

ଭଲ ମନ୍ଦ ବାରତା ପାଆନ୍ତା ପୁରୁଷରେ ଯେ ।

।୯୪।

 

 

ନୋହିଲେ ନିଧନ ଯେବେ ଶୁଣନ୍ତା ତାହାର ।

 

ଅଗ୍ନି ଲଗାଇଣ ତେବେ ପଶନ୍ତା ତହିଁର ଯେ ।

।୯୫।

ଭାଗ୍ୟବଶେ ଯେବେ ସେ ପୁରୁଷକୁ ଦେଖନ୍ତା ।

 

ତେବେ ସେ ସ୍ତିରୀର ଦୁଃଖ କିପାଇଁ ରହନ୍ତା ଯେ ।

।୯୬।

 

 

 

 

ଅଧର୍ମ ସ୍ତିରୀଙ୍କ ରୀତି ସେହୁ ଆଚରିଲା ।

 

ଲାଭ ହାନି ଦୁଇ କଥା ବିଚାର ନ କଲା ଯେ ।

।୯୭।

ପତି ତାର ସର୍ବଗୁଣେ ଜୀବନରେ ଅଛି ।

 

ପତ୍ନୀ ତାର ଦ୍ୱିତୀ ସ୍ୱୟମ୍ବର କିମ୍ପା ଇଚ୍ଛି ଯେ ।

।୯୮।

 

 

ଭଲପଣ ସେ ସ୍ତିରୀର କେମନ୍ତେ ରହିଲା ।

 

ସତୀପଣ ଛାଡ଼ିଣ ଅନୀତି ଆଚରିଲା ଯେ ।

।୯୯।

ଦଇବ ବଶରେ ଯେବେ ପୁରୁଷ ଭେଟିଲା ।

 

ନିଜରୂପ ନ ଦେଖିଲେ ତାର କିସ ଗଲା ଯେ ।

।୧୦୦।

 

 

ଯହୁଁ ନଳରାଜା ଏହୁ ବଚନ କହିଲା ।

 

ଟେରାରୁ ବାହାର ହୋଇ ଚରଣ ଧଇଲା ଯେ ।

।୧୦୧।

ନଳ ଆଜ୍ଞା ଦେଲେ ମୋରେ କି କାର୍ଯ୍ୟ ତୁମ୍ଭର ।

 

ରାଜା ରୁଣ୍ଡ କରିଅଛ ଯାହା ଇଚ୍ଛା ବର ଗୋ ।

।୧୦୨।

 

 

ଏହା ଶୁଣି ଦମୟନ୍ତୀ କହନ୍ତି ଉତ୍ତର ।

 

କିସ ସ୍ୱୟମ୍ବର ବିଧି ଦେଖିଲ ମୋହର ହେ ।

।୧୦୩।

ତୁମ୍ଭର ଦର୍ଶନକୁ ମୁଁ ରଞ୍ଚିଲି ଏସନ ।

 

ଅଷ୍ଟ ଲୋକପାଳ ଧର୍ମ ଜାଣନ୍ତି ମୋ ମନ ଯେ ।

।୧୦୪।

 

 

 

 

ଆନ ବୁଦ୍ଧି ଥିବ ଯେବେ ନଳର ବାହାରେ ।

 

ମୁର୍ଦ୍ଧନା ଫାଟି ପରାଣ ଯାଉ ଶ୍ରୀଛାମୁରେ ହେ ।

।୧୦୫।

ଦମନ୍ତୀ କ୍ରୋଧରେ ଯହୁଁ ଏମନ୍ତ ବୋଇଲେ ।

 

ଦେବସଭା କମ୍ପିଲାକ ଇନ୍ଦ୍ରହିଁ ଜାଣିଲେ ଯେ ।

।୧୦୬।

 

 

ତେତିଶକୋଟି ଦେବତା ଶୂନ୍ୟମାର୍ଗେ ରହି ।

 

ଇନ୍ଦ୍ର ଆଜ୍ଞା ପାଇ କର୍ଣ୍ଣେ ପବନ କହଇ ଯେ ।

।୧୦୭।

ନଳରାୟେ ଶୁଣ ଇନ୍ଦ୍ର ଆଜ୍ଞା ଦେଇଛନ୍ତି ।

 

କିଛି ପାପ କରିନାହିଁ ମନରେ ଦମନ୍ତୀ ଯେ ।

।୧୦୮।

 

 

ଏହା ଅନ୍ତର୍ଗତ ଶୁଦ୍ଧ ଜାଣିଅଛୁ ତୁହି ।

 

ଦୂତପଣେ ଗଲୁ ଯାହା ଦମନ୍ତୀକି କହି ଯେ ।

।୧୦୯।

ସେ ଯାହା ବୋଇଲା ତାହା ଜାଣିଛୁ ରାଜନ ।

 

ତୋ ବିହୁନେ ଦମନ୍ତୀର ମନେ ନାହିଁ ଆନ ଯେ ।

।୧୧୦।

 

 

ଏବେ ମନ ତୋର ବିନୁ ନାହିଁ ଆନ ତାର ।

 

କେହୁଣି କଥା ଆମ୍ଭଙ୍କୁ ନାହିଁ ଅଗୋଚର ହେ ।

।୧୧୧।

ଏହାର ହୃଦକୁ ତୋତେ ସାକ୍ଷୀ ଆମ୍ଭେମାନେ ।

 

କିଛି ମନେ ନ ବିଚାର ନଳ ସେ ରାଜନେ ହେ ।

।୧୧୨।

 

 

 

 

ଆମ୍ଭେ ଦେବତାମାନେ ସେ ସବୁକଥା ଜାଣୁ ।

 

ପାପ ପୁଣ୍ୟ ବିଚାର ତା ସଭାରେ ବଖାଣୁ ହେ ।

।୧୧୩।

ଯେତେବେଳେ ଇନ୍ଦ୍ର ଆଜ୍ଞା କର୍ଣ୍ଣରେ ଶୁଣିଲେ ।

 

ବୋଧ ହୋଇ ଦମନ୍ତୀକି ତୋଳିଣ ଧଇଲେ ଯେ ।

।୧୧୪।

 

 

ଉଠିଣ ଦମନ୍ତୀ ପୁଣ ଛାମୁରେ ଜଣାଇ ।

 

ନିଜ ରୂପ ଦେଖାଅ ପ୍ରସନ୍ନ ମୋତେ ହୋଇ ହେ ।

।୧୧୫।

ଶୁଣି ନଳରାୟେ ହସ୍ତ ନଖକୁ ଅନାଇ ।

 

ସୁମରନ୍ତେ ବେନି ବସ୍ତ୍ର ବାହାର ହୁଅଇ ଯେ ।

।୧୧୬।

 

 

ପୀତବସ୍ତ୍ର ଦୁଇଗୋଟି ହୋଇଲା ବାହାର ।

 

ଏକ ପିନ୍ଧି ଏକ ଗୋଟି ବାନ୍ଧିଲେ ଶିରର ଯେ ।

।୧୧୭।

ବସ୍ତ୍ର ପହୁରିଲେ ଯେତେବେଳେ ସେ ରାଜନ ।

 

ନଳ ସେ ଦ୍ୱିତୀୟକାମ ହୋଇଲେ ତକ୍ଷଣ ସେ ।

।୧୧୮।

 

 

ନିଜ ପତି ରୂପ ଯହୁଁ ଦମନ୍ତୀ ଦେଖିଲେ ।

 

ପାୟେ ପଡ଼ି ଶୋଇ ପୁଣି ଭୂମିରେ ଲୋଟିଲେ ଯେ ।

।୧୧୯।

ଦମନ୍ତୀକି କୋଳେ ବସାଇଣ ସେ ରାଜନ ।

 

ଆଲିଙ୍ଗନ କରି ମୁଖେ ଦିଅନ୍ତି ଚୁମ୍ବନ ଯେ ।

।୧୨୦।

 

 

 

 

ହରଷ ହୋଇଣ ଦାସୀଗଣେ ଧାଇଁଗଲେ ।

 

ରାଜାର ଛାମୁରେ ଯାଇ ବାରତା କହିଲେ ଯେ ।

।୧୨୧।

ଭୋ ଦେବ ହେ ଋତୁପର୍ଣ୍ଣ ରାଜାର ସାରଥି ।

 

ନିଶ୍ଚୟେ କରି ତାହାଙ୍କୁ ଚିହ୍ନିଲେ ଦମନ୍ତୀ ଯେ ।

।୧୨୨।

 

 

ନଳରାଜା ଗୋପ୍ୟେ ସେହୁ ରୂପ ଧରିଥିଲେ ।

 

କାମକୁ ଜିଣିଣ ନିଜ ରୂପ ସେ ଧଇଲେ ଯେ ।

।୧୨୩।

ଦମନ୍ତୀ କହିଲେ କହ ପିତାଙ୍କ ଛାମୁରେ ।

 

ତୋହର ଯଶ ନିଶ୍ଚୟେ ବଧାଇ ଆମ୍ଭରେ ଯେ ।

।୧୨୪।

 

 

ଶୁଣି ମହାରାଜା ଅଳଙ୍କାର ସବୁ ଦେଲେ ।

 

ଋତୁପର୍ଣ୍ଣ ରାଜା ସେହିଠାବେ ତା ଦେଖିଲେ ଯେ ।

।୧୨୫।

ସେହି ଯେତେ ଅଳଙ୍କାର ଲାଗି ହୋଇଥିଲେ ।

 

ଉଲାଗି ହୋଇ ତାହାଙ୍କୁ ଅନୁଗ୍ରହ କଲେ ଯେ ।

।୧୨୬।

 

 

ବେନି ରାଜା ଏକସଙ୍ଗ ହୋଇ ବିଜେ କଲେ ।

 

ଖନ୍ଦାଶାଳେ ଯାଇ ନଳରାଜାଙ୍କୁ ଦେଖିଲେ ଯେ ।

।୧୨୭।

ଉଠି ନଳରାଜା ବେଗେ ପାୟେ ପଡ଼ି ଶୋଇ ।

 

ଭୀମ ମହାରାଜା ଦେଖି କର ପ୍ରସାରଇ ଯେ ।

।୧୨୮।

 

 

 

 

ବେଗେ ଭୀମ ରାଜା ତାଙ୍କୁ ତୋଳିଣ ଧଇଲେ ।

 

ଭୁଜେ କୋଳକରି ନଳ ଶିରେ ଚୁମ୍ବ ଦେଲେ ଯେ ।

।୧୨୯।

ନଳରାୟେ ପୁନ ପୁନ କଲେ ନମସ୍କାର ।

 

ଆନନ୍ଦରେ ପୁଣି କୋଳ କରେ ନୃପବର ଯେ ।

।୧୩୦।

 

 

ଋତ୍ପର୍ଣ୍ଣକୁ ନଳରାୟେ ପୁଣ ସେ ଚାହିଁଲେ ।

 

କୋଳାଗ୍ରତ କରି ତାଙ୍କୁ ବଚନ କହିଲେ ଯେ ।

।୧୩୧।

ମୋହର ଜୀବନ ଜାଣ ତୋର ଆଜିଠାରୁ ।

 

ତୁମ୍ଭ ଅନ୍ନ ଖାଇଣ ବଞ୍ଚିଲୁଁ ବିପତ୍ତିରୁ ଯେ ।

।୧୩୨।

 

 

ମହାଘୋର ବିପତ୍ତି ଯେ ମୋତେ ପଡ଼ିଥିଲା ।

 

ଆଜ ଦିନଠାରୁ ମୋହ ବିପତ୍ତି ଫିଟିଲା ହେ ।

।୧୩୩।

ଋତୁପର୍ଣ୍ଣ ବିନୋୟିଣ ନଳକୁ କହିଲେ ।

 

ରୂପ ଗୋପ୍ୟ ଧରି ନିଧି ମୋର ପୁରେ ଥିଲେ ହେ ।

।୧୩୪।

 

 

ଯେବେ ମୁହିଁ ଭାଗ୍ୟବନ୍ତ ଲୋକ ହୋଇଥାନ୍ତି ।

 

ସେଠାରେ ଚିହ୍ନିଲେ ବହୁ ସେବା କରିଥାନ୍ତି ହେ ।

।୧୩୫।

ଏବେହେଁ ବହୁତ ଭାଗ୍ୟ ହୋଇଲା ମୋହର ।

 

ଆଜହୁଁ ସୁକୃତ ମୋର ବଢ଼ିବ ଅପାର ହେ ।

।୧୩୬।

 

 

 

 

ଅଜ୍ଞାନେ ଅମୃତ ଯେଉଁ ଲୋକ ଖାଇ ଥାଇ ।

 

ଅମୃତର ଗୁଣ କି ତା ଦିହେଁ ନ ଲାଗଇ ହେ ।

।୧୩୭।

ସେହିମତି ଫଳ ମୋର ପ୍ରାପତ ହୋଇଲା ।

 

ଜଗତେ ଶୁଣିବେ ନଳ ଅଯୋଧ୍ୟାରେ ଥିଲା ହେ ।

।୧୩୮।

 

 

ନଳ ଋତୁପର୍ଣ୍ଣଙ୍କର ସମ୍ପାଦ ହୋଇଲା ।

 

ଏଥୁ ଅନନ୍ତରେ କଥା କେମନ୍ତେ ହୋଇଲା ଯେ ।

।୧୩୯।

ଭୀମ ବେନି ରାଜାଙ୍କୁ ସଙ୍ଗତେ ଘେନି କରି ।

 

ବହନ କରି ଡଗରାମାନଙ୍କୁ ହକାରି ଯେ ।

।୧୪୦।

 

 

ସିଂହାସନେ ବିଜେ କରି ରାୟେ ଆଜ୍ଞା ଦେଲେ ।

 

କଟକଯାକ ଉତ୍ସବ କରାଅ ବୋଇଲେ ଯେ ।

।୧୪୧।

ହୁରିଆଙ୍କୁ ମତାଇଣ ଜର କରାଇବ ।

 

ଯାହାର ଯେତେକ ଯିବ ଭଣ୍ଡାରୁ ତା ଦେବେ ହେ ।

।୧୪୨।

 

 

ଆଜ୍ଞା ପାଇ ଡଗରେ ଘୋଷଣା ଦିଆଇଲେ ।

 

ନଳରାୟେ ଅଯୋଧ୍ୟାରେ ଗୋପ୍ୟରୂପେ ଥିଲେ ହେ ।

।୧୪୩।

କଟକ ଜୁର ହୋଇବ ରାୟେ ଆଜ୍ଞା ଦେଲେ ।

 

ଘୋଷଣା ଶୁଣି ଆନନ୍ଦେ ସର୍ବେ ଜୁର କଲେ ଯେ ।

।୧୪୪।

 

 

 

 

କଟକର ଉତ୍ତମ ପଦାର୍ଥ କଲେ ଜୁର ।

 

ଉନ୍ମତ୍ତ ହୋଇଲେ ନ ଚିହ୍ନିଲେ ପରାପର ହେ ।

।୧୪୫।

ରାଜା ବଡ଼ ଅବକାଶ ହୋଇ ବସିଛନ୍ତି ।

 

ସାଧୁତେ ଜୁର ପଦାର୍ଥେ ଛାମୁରେ ଜଣାନ୍ତି ହେ ।

।୧୪୬।

 

 

ରାଜା ଆଜ୍ଞାଦେଲେ ପାତ୍ର ବେଗ ହୋଇ ଯାଅ ।

 

ଯାହାର ଯେତେ ପଦାର୍ଥ ଭଣ୍ଡାରୁ ତା ଦିଅ ହେ ।

।୧୪୭।

ରାଜା ଆଜ୍ଞା ପାଇ ପାତ୍ରେ ଭଣ୍ଡାରେ ପଶିଲେ ।

 

ସକଳ ପଦାର୍ଥମାନ ଲେଖିକରି ଦେଲେ ଯେ ।

।୧୪୮।

 

 

ଏମନ୍ତ ସମୟେ ରବି ଅସ୍ତକୁ ଭଜିଲେ ।

 

ଅନ୍ନବସ୍ତ୍ର ପାଇ ସର୍ବେ ସନ୍ତୁଷ୍ଟ ହୋଇଲେ ଯେ ।

।୧୪୯।

ରଜନୀ ହୁଅନ୍ତେ ପୁଣ ଯେଝା ଘରେ ଗଲେ ।

 

ସମସ୍ତେହେଁ ଅତି ସୁଖେ ରଜନୀ ବଞ୍ଚିଲେ ହେ ।

।୧୫୦।

 

 

ପ୍ରାତକାଳେ ରାଜାମାନେ ଅପହୁଡ଼ ହୋଇ ।

 

ଯେ ଯାହାର ନିତ୍ୟକର୍ମ ସତ୍ୱରେ ବଢ଼ାଇ ଯେ ।

।୧୫୧।

ଆସ୍ଥାନ ପରେ ବିଜୟେ ଭୀମ ଯେ ରାଜନ ।

 

ତକ୍ଷଣେ ମିଳିଲେ ଆସି ନଳ ଋତୁତ୍ପର୍ଣ୍ଣ ଯେ ।

।୧୫୨।

 

 

 

 

ଭୀମରାଜା ଚରଣରେ ନମସ୍କାର କରି ।

 

ଅତି ସ୍ନେହେ ଭୀମରାଜା ତୋଳେ କର ଧରି ଯେ ।

।୧୫୩।

ଆଜ୍ଞାଦେଲେ ଭୀମରାଜା ଡଗରକୁ ରାଇ ।

 

ବେନି ସିଂହାସନ ବେଗେ ଘେନି ଆସ ଯାଇ ଯେ ।

।୧୫୪।

 

 

ଆଜ୍ଞା ପାଇ ଡଗରେ ତୁରିତେ ଚଳିଗଲେ ।

 

ରତ୍ନ ସିଂହାସନ ବେନି ଆସ୍ଥାନେ ଥୋଇଲେ ଯେ ।

।୧୫୫।

ସିଂହାସନେ ବସି ଋତୁପର୍ଣ୍ଣ ଜଣାଇଲେ ।

 

ଅଯୋଧ୍ୟା ନଗର ଯିବୁ ଆଜ୍ଞା ସେ ହୋଇଲେ ଯେ ।

।୧୫୬।

 

 

ଏହା ଶୁଣି ବହୁତ ଅକ୍ଷତ ଆଣି ଦେଲେ ।

 

ଆଜହୁଁ କୁଣ୍ଡୀନଗର ତୁମ୍ଭର ବୋଇଲେ ଯେ ।

।୧୫୭।

ନଳହିଁ ତାହାଙ୍କୁ ବହୁ ସମ୍ଭାବନ କଲେ ।

 

ଅଶ୍ୱହୃତ ବିଦ୍ୟା ଉପଦେଶହିଁ କହିଲେ ଯେ ।

।୧୫୮।

 

 

ଅକ୍ଷତ ପାଇ ମେଲାଣି ହେଲେ ଋତୁପର୍ଣ୍ଣ ।

 

ସାରଥି ଛାମୁରେ ନେଇ କଲା ନିଜ ଯାନ ଯେ ।

।୧୫୯।

ଆନନ୍ଦେ ବିଜୟେ ରାଜା କଲେ ରଥପରେ ।

 

କଟକେ ମିଳିଲେ ବେନି ପ୍ରହର ଭିତରେ ଯେ ।

।୧୬୦।

 

 

 

 

ଛତିଶ ନିଯୋଗ ଲୋକେ ଦରଶନ କଲେ ।

 

ପାତ୍ର ମନ୍ତ୍ରୀ ଅମନାତ୍ୟ ସମସ୍ତେ ଭେଟିଲେ ଯେ ।

।୧୬୧।

ଅବକାଶ ସିଂହାସନେ ରାୟେ ବିଜେ କରି ।

 

ସର୍ବେ ଏକମୁଖ ହୋଇ ରାଜାଙ୍କୁ ପଚାରି ଯେ ।

।୧୬୨।

 

 

ଭୋ ଦେବ ଭୀମରାଜା ଯେ ସ୍ୱୟମ୍ବର କଲା ।

 

କେ କେ ଆସିଥିଲା କନ୍ୟା କାହାକୁ ବରିଲା ଯେ ।

।୧୬୩।

ସାରଥି ହୋଇଣ ଯେହୁ ସଙ୍ଗେ ଯାଇଥିଲା ।

 

ରଥ କେତେବେଳେ ନେଲା ଯେହୁ କେଣେ ଗଲା ଯେ ।

।୧୬୪।

 

 

ଆଜ୍ଞା ହେଉ ଭୋ ଦେବ ! ଶୁଣିମା ଆମ୍ଭେମାନେ ।

 

ଏତେ କହି ମଉନ ହୋଇଲେ ସର୍ବଜନେ ଯେ ।

।୧୬୫।

ଆଦ୍ୟ ପ୍ରାନ୍ତ କରି ସବୁ ରାଜନ କହିଲେ ।

 

ଶୁଣିଣ ସମସ୍ତେ ବଡ଼ ଆଶ୍ଚର୍ଯ୍ୟ ହୋଇଲେ ଯେ ।

।୧୬୬।

 

 

ଅଯୋଧ୍ୟା ନଗରେ ଶୁଭେ ଋତ୍ପର୍ଣ୍ଣ ରହିଲେ ।

 

ଏଥୁ ଅନନ୍ତରେ ଶୁଣ ନଳ ଯାହା କଲେ ଯେ ।

।୧୬୭।

କୁଣ୍ଡୀନଗ୍ରେ କିଛି ଦିନ ନଳରାଜା ରହି ।

 

ନିଜ ରାଜ୍ୟ ଆମ୍ଭେ ଯିବୁଁ ଦମନ୍ତୀକି କହି ଯେ ।

।୧୬୮।

 

 

 

 

ଭୀମ ମହାରାଜାଙ୍କୁ ସେ ମେଲାଣି ମାଗିଲେ ।

 

ଚତୁରଙ୍ଗ ବଳ ଘେନି କଟକାଇ କଲେ ଯେ ।

।୧୬୯।

ଆପଣା କଟକ କିଛି ଦୁର ଥାଇ ରହି ।

 

ପୁଷ୍କର କତିକି ରାୟେ ଚାର ପଠିଆଇ ଯେ ।

।୧୭୦।

 

 

ନଳ ଆଜ୍ଞା ଦେଲେ ଯାଇଁ ଏମନ୍ତ କହିବୁଁ ।

 

ବେଗେ ଥାଟ ସଜ କରି ଛାମୁରେ ମିଳିବୁ ଯେ ।

।୧୭୧।

ତୋର ମୋର ଦୁହିଙ୍କର ସଂଗ୍ରାମ କରିବା ।

 

ତୋହୋର ଇଚ୍ଛା ହୋଇଲେ ପଶାହିଁ ଖେଳିବା ଯେ ।

।୧୭୨।

 

 

ରାଜା ଆଜ୍ଞା ପାଇ ଚାର ବେଗେ ଚଳିଗଲା ।

 

ପୁଷ୍ପର ସନ୍ନଧେ ଯାଇ ପ୍ରବେଶ ହୋଇଲା ଯେ ।

।୧୭୩।

ଯେତେ ଆଜ୍ଞା ଦେଇଥିଲେ ନଳ ସେ ରାଜନ ।

 

ସବୁ ସେ କହିଲା ଭୟ ନ କରିଣ ମନ ଯେ ।

।୧୭୪।

 

 

ପୁଷ୍କର ଶୁଣି ଚାରକୁ ବଚନ କହିଲା ।

 

ନଳ ରାଜନର ଚାର ବୋଲି ଆଜ୍ଞା ଦେଲା ଯେ ।

।୧୭୫।

ଦର୍ଶନ କରିବି ମୁହିଁ ତାଙ୍କ ଚରଣରେ ।

 

ମୁହିଁ ଅବା କିସ ସେହୁ ଅଟଇ ରାଜ୍ୟରେ ଯେ ।

।୧୭୬।

 

 

 

 

ଶୁଣି ରାମଚନ୍ଦ୍ର ପଚାରନ୍ତି ମାର୍କଣ୍ଡଙ୍କୁ ।

 

ପୁଷ୍କର କିମ୍ପା ବିନୋଇ କହିଲା ନଳଙ୍କୁ ଯେ ।

।୧୭୭।

ମାରକଣ୍ଡ ଆଜ୍ଞା ଦେଲେ ରାମଚନ୍ଦ୍ର ଶୁଣ ।

 

ପୁଷ୍କର କିସ କରିବ ନଳ ଛାମୁରେଣ ଯେ ।

।୧୭୮।

 

 

ଦ୍ୱାପର ତାହାର ଦେହେ ପଶିଣ ଯେ ଥିଲା ।

 

ନଳକୁ ସଭାରେ ଅଣଆୟତ ସେ କଲା ଯେ ।

।୧୭୯।

ତେଣୁ କରି ନଳରାଜା ଏମନ୍ତ ହୋଇଲା ।

 

ରାଜା ଚାର ଆଗେ ପୁଣ କେମନ୍ତ କହିଲା ଯେ ।

।୧୮୦।

 

 

ମାରକଣ୍ଡ ଋଷି କହେ ରାମଚନ୍ଦ୍ର ଶୁଣ ।

 

ଦୂତ ଆଗେ ପୁଷ୍କର କହଇ ବିନୋୟିଣ ଯେ ।

।୧୮୧।

ପୁଣି ବେଗେ ସଜ ହୋଇ ରଥ ଆରୋହିଲା ।

 

ସୁବର୍ଣ୍ଣ କୁଠାର ସେହୁ ଗଳେ ଲମ୍ବାଇଲା ଯେ ।

।୧୮୨।

 

 

ଏକା ରଥକରେ ସେହୁ ଚଢ଼ିକରି ଗଲା ।

 

ନଳରାଜା ପାଦତଳେ ପ୍ରଳମ୍ବିତ କଲା ଯେ ।

।୧୮୩।

ପୁଣ ପୁଣ ପ୍ରାୟେ ପଡ଼ି ଶୋଇଲା ପୁଷ୍କର ।

 

ଗଦ ଗଦ ହୋଇ ଦେହ କରଇ ଅଧୀର ହେ ।

।୧୮୪।

 

 

 

 

ନଳ ଆଜ୍ଞା ଦେଲେ ବାବୁ ଉଠ ବେଗ ହୋଇ ।

 

ଏକଇ ବଚନ ତୋତେ ମୁହିଁ କହିବଇଁ ଯେ ।

।୧୮୫।

ଅଧର୍ମ କରିଣ ମୁହିଁ ରାଜ୍ୟ ନ ଘେନଇ ।

 

ତୁ ଯେବେ ଯୁଦ୍ଧ ନ କଲୁ ପଶା ଖେଳିବଇଁ ଯେ ।

।୧୮୬।

 

 

ନଳରାଜା ପଶା ସାର ବେଗେ ହକରାଇ ।

 

ପଶା ଯେ ଖେଳନ୍ତି ବସି ସେହୁ ବେନି ଭାଇ ଯେ ।

।୧୮୭।

ଋତୁପର୍ଣ୍ଣ ଠାରୁ ଯେହୁ ମନ୍ତ୍ର ଘେନିଥିଲେ ।

 

ତାହା ସୁମରଣା କରି ସମସ୍ତ ଜିଣିଲେ ଯେ ।

।୧୮୮।

 

 

ପୁଷ୍କରକୁ ବୋଇଲେ ତୁ ମୋ ଆଗେ ନ ଥିବୁ ।

 

କିଛି ରାଜ୍ୟ ଦେବା ତାହା ଖାଇ କରି ଥିବୁ ଯେ ।

।୧୮୯।

ଏତେ ବୋଲି ପୁଷ୍କରକୁ ଚାରି ଦେଶ ଦେଲେ ।

 

ପୁଷ୍କର ଯାଇଣ ସେହୁ ଦେଶରେ ରହିଲେ ଯେ ।

।୧୯୦।

 

 

ଦମନ୍ତୀକି ଘେନି ରାଜା ବିଜେ କରି ଗଲେ ।

 

ସେ ନବର କଟକରେ ପ୍ରବେଶ ହୋଇଲେ ଯେ ।

।୧୯୧।

ଆନନ୍ଦମନେ ଦର୍ଶନ କଲେ ପୁରଜନ ।

 

ବୋଲନ୍ତି ଏହି ରାଜ୍ୟକୁ ନଳହିଁ ରାଜନ ଯେ ।

।୧୯୨।

 

 

 

 

ପାତ୍ର ମନ୍ତ୍ରୀ ଅମନାତ୍ୟ ଦରଶନ କଲେ ।

 

ଛତିଶ ନିଯୋଗ ଯେଝା ସେବାରେ ରହିଲେ ଯେ ।

।୧୯୩।

ହରଷ ହୋଇଣ ରାଜା ଶୁଭେ ରାଜ୍ୟ କଲେ ।

 

ମାରକଣ୍ଡ ଋଷି ରାମ ଛାମୁରେ କହିଲେ ଯେ ।

।୧୯୪।

 

 

ତୁମ୍ଭର ବିପତ୍ତି ନାଶ କରିବାର ପାଇଁ ।

 

ଅରଣ୍ୟ ଭିତରେ ଆସି ତୋତେ ଭେଟିଲଇଁ ଯେ ।

।୧୯୫।

ତୋର ତହୁଁ ଦୁଃଖୀ ଏକା ନଳ ସେ ରାଜନ ।

 

ଆଦ୍ୟ ପ୍ରାନ୍ତ କରି ସବୁ ଶୁଣିଲ ଶ୍ରବଣ ଯେ ।

।୧୯୬।

 

 

ଦଶଗ୍ରୀବ ହତ କରି ସୀତାଙ୍କୁ ପାଇବ ।

 

ନିଶ୍ଚୟ ଅଯୋଧ୍ୟାପୁରେ ରାଜନ ହୋଇବେ ଯେ ।

।୧୯୭।

ଏକମନେ ଯେହୁ ନଳଚରିତ ଶୁଣଇ ।

 

ଅତି ମହାଘୋର ବିପତ୍ତିରୁ ନିସ୍ତରଇ ଯେ ।

।୧୯୮।

 

 

ଏତେ କହି ମୁନି ଅନ୍ତର୍ଦ୍ଧାନ ହୋଇଗଲେ ।

 

ଅରଣ୍ୟ ଭିତରେ ରାମ ଶୁଭେଣ ରହିଲେ ଯେ ।

।୧୯୯।

କିଛିଦିନେ ରାମ ରାୟେ ମାରି ରାବଣକୁ ।

 

ସୀତା ଘେନି ପୁଣି ସେହୁ ଆସେ ଅଯୋଧ୍ୟାକୁ ଯେ ।

।୨୦୦।

 

 

 

 

ଶୁଣ ଆହେ ସୁଜ୍ଞଜନେ ନଳର ଚରିତ ।

 

ଯାହା ଶୁଣି ବିପତ୍ତି ହରିଲେ ରଘୁନାଥ ଯେ ।

।୨୦୧।

ଏକା ଦିନକରେ ଏକାଥରେ ଯେ ଶୁଣିବ ।

 

ଶ୍ରଦ୍ଧା ମନ କରି ଆଦ୍ୟ ପ୍ରାନ୍ତ ଯେ ଭଣିବ ହେ ।

।୨୦୨।

 

 

ମହାଘୋର ବିପତ୍ତିକି ଯେବେ ପାଉଥିବ ।

 

ସ୍ୱପନ ପରାୟେ ସେହୁ ଦୁଃଖକୁ ମଣିବ ଯେ ।

।୨୦୩।

ସୁଜ୍ଞଜନମାନେ ହରିକୀର୍ତ୍ତନ କରିବ ।

 

କୃଷ୍ଣ ନାମ ଅହର୍ନିଶି ଶ୍ରବଣେ ଶୁଣିବ ଯେ ।

।୨୦୪।

 

 

ଶ୍ରୀପୁରୁଷୋତ୍ତମ କ୍ଷେତ୍ରବର ସେ ରାଜ୍ୟରେ ।

 

ତହିଁ ହୋଇଛନ୍ତି ଦାରୁବ୍ରହ୍ମ ଅବତାରେ ଯେ ।

।୨୦୫।

କଳାଆଖି ଚକାଡୋଳା ସୁରଙ୍ଗ ଅଧର ।

 

ଯେହୁ ଅବଲୋକନ କରନ୍ତି ନିରନ୍ତର ଯେ ।

।୨୦୬।

 

 

ତାହାଙ୍କ ପାଦତଳରେ ଥାଉ ମୋର ଶିର ।

 

ମଧୁସୂଦନକୁ ଚକ୍ରଧର ରକ୍ଷାକର ଯେ ।

।୨୦୭।

ନଳଚରିତ ଯେ ମୁହିଁ ନ ଜାଣି କହିଲି ।

 

ବାଳକ ବୁଦ୍ଧିରେ ମୁଁ ଅଳପ ବଖାଣିଲି ହେ ।

।୨୦୮।

ପଣ୍ଡିତଜନେ ହେ ଦୋଷ ନ ଧରିବ ମୋର ।

 

ପୂରାଇ ଗାଇବ ମୁଁ ଯେ ସେବକ ତୁମ୍ଭର ହେ ।

୨୦୯।